ପରମ୍ପରା ଓ ବିଧିରେ କରୋନା ମାଡ଼: ବନ୍ଦ ହୋଇପାରେ ବୋଲବମ୍ ଯାତ୍ରା 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ି ଚାଲିଛି। ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି। ଗତ ଚାରି ମାସ ହେଲା କଟକଣା ଜାରି ରହିଥିବା ବେଳେ ଏହି ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି। ଆଉ ବିଧି ଓ ପରମ୍ପରାରେ ବାଡ଼ ଭଳି ଛିଡ଼ା ହୋଇଛି। କଟକଣା ଯୋଗୁଁ ଏହା ମଧ୍ୟରେ ଜିଲ୍ଲାରେ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ଦଣ୍ଡନାଚ, ପଣା ସଂକ୍ରାନ୍ତି, ଛତ୍ରପୁର ଓ ଭଞ୍ଜନଗରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, କବିସୂର୍ଯ୍ୟନଗରର ଐତିହାସିକ ମା’ ମହାମାୟୀ ଠାକୁରାଣୀ ଯାତ୍ରା, ଚନ୍ଦନ ଯାତ୍ରା, ରଜ ସଂକ୍ରାନ୍ତି ଓ ରଥଯାତ୍ରା ଭଳି ଅନେକ ଛୋଟବଡ଼ ପର୍ବପର୍ବାଣିକୁ ବନ୍ଦ କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଚଳିତମାସ ୩୦ ତାରିଖ ଯାଏ ଜିଲ୍ଲା ପ୍ରଶାସନ ଲକ୍‌ଡାଉନ୍‌ ଜାରି କରିଛି। ଜିଲ୍ଲା ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ, ଏହାକୁ ଅପେକ୍ଷା କରାଯାଇଛି। ଏଭଳି ପରିସ୍ଥିତିରେ ଶ୍ରାବଣ ମାସରେ ହେବାକୁ ଥିବା ବୋଲବମ୍ ଯାତ୍ରାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଛି। କରୋନା ଯୋଗୁଁ ରୀତିନୀତି କେମିତି ପାଳନ ହେବ ଏହାକୁ ନେଇ କାଉଡ଼ିଆ ମଧ୍ୟ ଦ୍ବନ୍ଦ୍ବରେ ରହିଛନ୍ତି।

ଓଡ଼ିଆ କ୍ୟାଲେଣ୍ଡର୍ ଅନୁସାରେ, ଆଷାଢ଼ ମାସ ଶେଷ ହୋଇ ଆସୁଥିବା ବେଳେ ୧୦ ଦିନ ପରେ ଆରମ୍ଭ ‌ହେଉଛି ଶ୍ରାବଣ ମାସ। ହିନ୍ଦୁ ଧର୍ମରେ ଏହା ପବିତ୍ର ମାସ ଭାବେ ପରିଚିତ। କାରଣ ମାନସିକଧାରୀ କାଉଡ଼ିଆ ମାନେ ନଦୀରୁ ଜଳଭାର ଉଠାଇ ମାଇଲ୍ ମାଇଲ୍ ରାସ୍ତା ଅତିକ୍ରମ କରି ଶିବାଳୟରେ ପହଞ୍ଚି ମହାଦେବଙ୍କୁ ଜଳାଭ‌ିଷେକ କରନ୍ତି।

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ଓ ବାହୁଦା ବିଭିନ୍ନ ପ୍ରମୁଖ ନଦୀ ସମେତ ସଂଗମସ୍ଥଳୀରୁ କାଉଡ଼ିଆ ମାନେ ଜଳଭାର ଉଠାଇବା ସହ ବୁଡ଼ ପାରନ୍ତି।
ସେଠାରେ ବାଲିରେ ଶିବଲିଙ୍ଗ କରି ପୂଜାର୍ଚ୍ଚନା କରିବା ପରେ ସେଠାରୁ ଜଳପୂର୍ଣ୍ଣ କଳସୀ ସହ ସଂକଳ୍ପ କରି କାଉଡ଼ିଆ ମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଖାଲି ପାଦରେ ଚାଲି ଚାଲି ବାହାରନ୍ତି। ଏହାମଧ୍ୟରେ ଜଳଭାରର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସେମାନେ ବେଶ୍ ଯତ୍ନବାନ୍ ରହିଥାନ୍ତି। ଏଥିରେ ସାମାନ୍ୟ ବିଭ୍ରାଟ ଘଟିଲେ ଯାତ୍ରା ଅଧୁରା ରହିଯାଏ ‌ବୋଲି ବିଶ୍ବାସ ରହିଛି। ଦିନତମାମ ଚାଲିବା କଷ୍ଟକର ହେଉଥିବାରୁ ସେମାନେ ପାହାନ୍ତିଆ ସମୟରେ କିମ୍ବା ରାତ୍ରୀରେ ବୋଲବମ୍ ନାମ ନେଇ ଯାତ୍ରା କରନ୍ତି। ପ୍ରବଳ ଖରା ଓ ବର୍ଷାକୁ ସେମା‌ନଙ୍କ ଖାତିର୍ ନଥାଏ। ଯାତ୍ରା ସୟମରେ ବର୍ଷା ହେଲେ ମଧ୍ୟ ସେମାନେ ନଅଟକି ଭକ୍ତିଭାବ ସହକାରେ ଚାଲିଥାନ୍ତି। ଜଳାଭିଷେକ ପାଇଁ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼ ଜମିଥାଏ।

File Photo

କିନ୍ତୁ ଚଳିତବର୍ଷ କ‌ରୋନା ମହାମାରୀ ଯୋଗୁଁ ଅନ୍ୟ ପର୍ବପର୍ବାଣି ଭଳି ବୋଲବମ୍ ଯାତ୍ରା ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି। କାରଣ ପୋଖରୀ ଓ ନଦୀରେ ଗାଧୋଇବାକୁ ବାରଣ କରାଯାଇଛି। କାଉଡ଼ିଆ ମାନେ ଏଥିରେ ଗାଧୋଇଲେ ଜ୍ବର ଓ କାଶର ଆଶଙ୍କା ବି ରହିଛି। ଏଥିସହ ସୋମବାର ଗୁଡ଼ିକରେ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଲେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ବୋଲବମ୍ ଯାତ୍ରା ପାଇଁ କେଉଁ ପଦକ୍ଷେପ ନେଉଛି ତାକୁ କାଉଡ଼ିଆ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାସହ ସମସ୍ତ ଶୈବପୀଠ ମଧ୍ୟ ବନ୍ଦ ରହିବା ସହ କେବଳ ନୀତିକାନ୍ତିରେ ହିଁ ପୂଜା ଚାଲିଛି। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜୁଲାଇ ୬ ତାରିଖରେ ଶ୍ରାବଣମାସ ଆରମ୍ଭ ହେଉଛି। ସଂଯୋଗବଶତଃ ସେହିଦିନ ହିଁ ପ୍ରଥମ ସୋମବାର ପଡ଼ୁଥିବାରୁ ବହୁ କାଉଡ଼ିଆ ଭାର ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏଭଳି ସ୍ଥିତିରେ କେମିତି ପାଣି ନେବେ ଓ କ’ଣ କଟକଣା ରହିବ ସେ ନେଇ କାଉଡ଼ିଆ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର