ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ବୋଲେରୋ ଧକ୍କାରେ ଯୁବତୀ ମୃତ, ଉତ୍ତ୍ୟକ୍ତଲୋକେ କଲେ ରାସ୍ତା ଅବରୋଧ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପଷ୍ଟିକୁଡି ଗ୍ରାମରେ ସୋମବାର ପ୍ରତ୍ୟୁଷରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏଥିରେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ମହେଶ୍ୱର ବିଶିଙ୍କ କନ୍ୟା ପ୍ରମୋଦିନି ବିଶି (୨୦) ଓ ଗୁରୁତରଙ୍କ ନାମ ପଦ୍ମିନୀ ବିଶି (୨୫) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ପ୍ରତ୍ୟୁଶରେ ପ୍ରମୋଦିନି ବିଶି ଓ ପଦ୍ମିନୀ ବିଶି ପ୍ରାତଃ ଭ୍ରମଣରେ ବାହାରିଥିଲେ। ଏହି ସମୟରେ କେସିଙ୍ଗାରୁ ଭବାନୀପାଟଣା ଆଡକୁ ଯାଉଥିବା ଏକ ଅଜଣା ବୋଲେରୋ ଦୁହିଁଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା। ପଦ୍ମିନୀ ଓ ପ୍ରମୋଦିନି ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଦୁହିଁଙ୍କୁ ପଷ୍ଟିକୁଠି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ. ଅଭିନାସ ପ୍ରଧାନ ପ୍ରମୋଦିନିଙ୍କ ଅବସ୍ଥା ଗୁରୁତର ଦେଖି ଭବାନିପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏଠାରେ ପ୍ରମୋଦିନିଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ପଷ୍ଟିକୁଡି ଜନସାଧାରଣ ଉତ୍ତ୍ୟକ୍ତ ହୋଇ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ସର୍ବେଶ୍ୱର ଜାଲ ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨୦୦ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦିନ ୩ଟା ସମୟରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ।

ସମ୍ବନ୍ଧିତ ଖବର