ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟି ତଳେ ଥିବା କାକରପାଣି ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ବୋଲେର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଗ୍ରାମର ଗୋଟିଏ ବୋଲେରୋ ଜଣେ ଗର୍ଭବତୀ ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଅନକାବେଡା ଗ୍ରାମକୁ ଫେରୁଥିଲା। ଫେରିବା ସମୟରେ ଚନ୍ଦାହାଣ୍ଡି ବ୍ଲକ ଫଟକି ପଂଚାୟତ ଅନ୍ତର୍ଗତ ଭତାଝର ଗ୍ରାମର ଶୁକାଲ ଦେଇ ମାଝୀ ଓ ସ୍ତ୍ରୀ ଫୁଲସିଙ୍ଗ ମାଝୀ ନିଜ ସମ୍ପର୍କୀୟ ଘର ଝରିଗାଁ ବ୍ଲକ କଟ୍ରିଛାପର ପଂଚାୟତର କଲେଗାଁ ଗ୍ରାମ ଯାଇ ନିଜ ଘରକୁ ଫେରିବା ପାଇଁ ଝରିଗାଁ ବସଷ୍ଟାଣ୍ଡ ଠାରେ ଅପେକ୍ଷା କରିଥିଲେ। ତେବେ ଉମରକୋଟ ଠାରୁ ଫେରୁଥିବା ଅନକାବେଡା ଗ୍ରାମର ବୋଲେର ଗାଡ଼ି ଚାଳକ ଚିହ୍ନା ପରିଚୟ ଥିବାରୁ ସେହି ଗାଡିର ପଛ ସିଟରେ ବସି ଦୁହେଁ ନିଜ ଘରକୁ ଫେରୁଥିଲେ।

ଝରିଗାଁ ବ୍ଲକ ହାତୀବାଡ଼ି ଗ୍ରାମର ରତ୍ନାକର ଗୌଡ଼ ବାଇକ ଯୋଗେ କୌଣସି ଏକ କାମରେ ଚନ୍ଦାହାଣ୍ଡି ଯାଇଥିଲେ। ସେଠାରେ କାମସାରି ନିଜ ଘରକୁ ଫେରୁଥିବା ବେଳେ ଅପରାହ୍ନ ୪ଘଣ୍ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟି ତଳେ ଥିବା କାକରପାଣି ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ଏହି ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ପରେ ରତ୍ନାକର ବାଇକ ସହ ରାସ୍ତାରେ ଛିଟିକି ହୋଇ ପଡି ଯାଇଥିବା ବେଳେ ବୋଲେରୋ ପଛ ସିଟରେ ବସିଥିବା ଶୁକାଲ ଦେଇ ମାଝୀ ଓ ସ୍ତ୍ରୀ ଫୁଲସିଙ୍ଗ ମାଝୀ ମଧ୍ୟ ଛିଟିକି ହୋଇ ରାସ୍ତା କଡରେ ପଡିଯାଇଥିଲେ। ଫଳରେ ରତ୍ନାକର ଗୌଡ଼ର ଡାହାଣ ଗୋଡ଼ ଭାଙ୍ଗି ଯିବା ସହ ଅଣ୍ଟା ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସେହିପରି ଶୁକାଲ ଦେଇ ମାଝୀର ଡାହାଣ ଗୋଡ଼ ଭାଙ୍ଗି ଯିବା ସହ ଛାତିରେ ଆଘାତ ହୋଇଥିଲା। ଫୁଲସିଂ ମାଝୀ ଆହତ ହୋଇଥିଲେ। ଶେଷରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଗୁରୁତର ଅବସ୍ଥାରେ ରତ୍ନାକର ଏବଂ ଶୁକାଲ ଦେଇଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।