ବୋଲେରୋ ବାଇକ ମୁହାଁମୁହିଁ,୨ ଗୁରୁତର

ବାଲିଅନ୍ତା: ହଂସପାଳ- ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଏକ ବୋଲେରୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସମେତ ତାଙ୍କ ପଛରେ ବସିଥିବା ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଜିତିକାଲସୁଆଁଲୋ ଗ୍ରାମର କବିତା ନାଏକ (୩୫) ଓ ପାରିବାସୁଦେଇପୁର ଗ୍ରାମର ସୁମନ୍ତ ଭୋଇ(୪୦)। ତେବେ ସୁମନ୍ତଙ୍କ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ଏବେ ସେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବାଲିଅନ୍ତା ଥାନା ଏଏସଆଇ ରାକେଶ ସାମନ୍ତରାୟ ଏବଂ ସ୍ଥାନୀୟ ଲୋକ ସୁମନ୍ତ ଓ କବିତାଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ହସ୍ପିଟାଲ ନେଇଥିଲେ। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ ଓ ବୋଲେରୋ ଜବତ କରାଯାଇଛି। ସୂଚନା ମୁତାବକ ଉଭୟ ସୁମନ୍ତ ଓ କବିତା ଘରୋଇ ଇଂଜିନିୟରିଂ କଲେଜର କର୍ମଚାରୀ।

ଆଜି ମଧ୍ୟାହ୍ନରେ ସୁମନ୍ତ ଓ କବିତା ବାଇକରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସହ ଧକ୍କା ହୋଇଥିଲା। ଫଳରେ ସୁମନ୍ତ ଏବଂ କବିତା ବାଇକରୁ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ସମ୍ବନ୍ଧିତ ଖବର