ବକେୟା ଟଙ୍କା ମାଗିବାରୁ ଯୁବକଙ୍କୁ ବୋମାମାଡ଼; ଗୁରୁତର ଯୁବକ ବ୍ରହ୍ମପୁର ସ୍ଥାନାନ୍ତର

ବେଲଗୁଣ୍ଠା:ଝିଅ ବାହାଘର ପାଇଁ ଟଙ୍କା କରଜ ଆଣି ଠିକ୍ ସମୟରେ  ଶୁଝି ନଥିବା ବେଳେ ଟଙ୍କା ଦେଇଥିବା ବ୍ୟକ୍ତି ତାର ଟଙ୍କା ଫେରି ପାଇବା ପାଇଁ ବାରମ୍ବାର ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଧାର ନେଇଥିବା ବ୍ୟକ୍ତି ଧାର ଦେଇଥିବା ବ୍ୟକ୍ତିଙ୍କୁ ଟଙ୍କା ଦେବା ବାହାନାରେ ଘରୁ ଡାକିନେଇ ପଛପଟୁ ବୋମାମାଡ଼ କରିବା ଘଟଣା ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏନେଇ ଆହତ ବ୍ୟକ୍ତିଙ୍କ ପରିବାର ଠାରୁ ଖବର ନେବାରୁ ଜଣା ପଡିଛି ଯେ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପଣିବନ୍ଧ ଗ୍ରାମର କାମରାଜୁ ସ୍ଵାଇଁଙ୍କ ପୁଅ ଟୁକୁନା ସ୍ୱାଇଁ ସେହି ଗ୍ରାମର ଭୋଳା ସ୍ୱାଇଁ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ଭଉଣୀ ବାହାଘର ପାଇଁ ପୂର୍ବରୁ ଦୁଇ ଲକ୍ଷ ଟଙ୍କା ଦେଇଥିଲା । ଟୁକୁନା ତା ପଇସା ପାଇବାରେ ବିଳମ୍ବ ହେବାରୁ ସେ ଭୋଳାକୁ ବାରମ୍ବାର ଟଙ୍କା ମାଗିଥିଲା । କିନ୍ତୁ ଭୋଳାର ପରିବାର ଆଜି କାଲି ଦେବାକୁ କହି ସମୟ ଗଡାଇ ଚାଲିଥିଲେ ।

ଆଜି ସକାଳ ୧୦ ଘଣ୍ଟା ୩୦ ମିନଟ୍ ସମୟରେ  ଟୁକୁନା ତା ଘରେ ଥିବାବେଳେ ଭୋଳା ସ୍ଵାଇଁ ଏବଂ ତାର ସାଙ୍ଗ ସନାତନ ବେହେରା (୨୬) ଟୁକୁନାକୁ ତାର ଘରୁ ଡାକିନେଇ ଟଙ୍କା ବାବଦରେ କଥାବାର୍ତ୍ତା ହେବାକୁ ଭୋଳା ତା ଘରକୁ ଯିବାକୁ କହିଥିଲା  ଟୁକୁନା ଆଗେ ଆଗେ ଯାଉଥିବା ବେଳେ ଭୋଳା ଏବଂ ସନାତନ ତାଠାରୁ ଦୂରତ୍ୱ ରକ୍ଷା କରି ପଛରେ ରହିଯାଇଥିଲେ।  ଟୁକୁନା ଭୋଳାର ଷଡଯନ୍ତ୍ର୍ ବୁଝି ନପାରି ଆଗେ ଆଗେ ଯାଉଥିବା ବେଳେ ରଘୁନାଥ ମନ୍ଦିର ସାହିରେ ଟୁକୁନା ଉପରକୁ ପଛପଟୁ ଭୋଳା ଏକ ହାତ ବୋମା ଫୋପାଡ଼ି ଥିଲା ।

ଫଳରେ ଟୁକୁନାର ମୁଣ୍ଡ ଏବଂ ହାତ ଗୋଡ଼ରେ ଗଭୀର ଆଘାତ୍ ଲାଗିବା ସହ ଟୁକୁନା ଛିଟିକି ପଡ଼ିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ୍ ଡକାଇ ଟୁକୁନାକୁ ପ୍ରଥମେ ଆସିକା  ଉପଖଣ୍ଡ ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଟୁକୁନାର ପରିବାର ଟୁକୁନା ପାଖରେ ବ୍ରହ୍ମପୁର ମେଡିକାଲରେ ଥିବାରୁ ସନ୍ଧ୍ୟା ସୁଦ୍ଧା ପରିବାର ତରଫରୁ ଥାନାରେ କୌଣସି ଏତାଲା ଦିଆଯାଇ ନଥିବା ବେଳେ ଗାଙ୍ଗପୁର ପୁଲିସ ଖବର ପାଇ ନିଜ ଆଡ଼ୁ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖି ଜେରା କରୁଥିବା ଗାଙ୍ଗପୁର ପୁଲିସ ସୂତ୍ରରୁ ଜଣାପଡିଛି ।

ଆହତ ଟୁକୁନା ର ପରିବାର ସହ ଆଲୋଚନା କରିବା ପରେ କେଉଁ କାରଣରୁ ବୋମାମାଡ଼ ହୋଇଛି ଏବଂ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଜଣା ପଡ଼ିବ ବୋଲି ପୁଲିସ ସୂତ୍ରରୁ ଖବର ମିଲିଛି । ଅନ୍ୟପଟେ ଟୁକୁନା ମନରେଗାରେ କାର୍ଯ୍ୟ କରୁ୍ଥିବା ବେଳେ ସୁପାରି ଦେଇ ମଧ୍ୟ ଟୁକୁନା ଉପରେ ବୋମାମାଡ଼ କରାଯାଇଥିବା କିଛି ସ୍ଥାନୀୟ ଲୋକ ଆଲୋଚନା କରୁଥିବା ବେଳେ ଅନ୍ୟ କିଛି ଲୋକ ଟୁକୁନା ଏକ ରାଜନୈତିକଦଳର କର୍ମୀ ହୋଇଥିବାରୁ ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଏକ ରାଜନୈତିକ ହିଂସା କାଣ୍ଡ ହୋଇଥାଇ ପାରେ ବୋଲି ମଧ୍ୟ ଆଲୋଚନା କରୁଛନ୍ତି । ତେଣୁ ପୁଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ  ବୋମାମାଡ଼ର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଲୋଚନା ହେଉଛି । ଭୋଳା ଏବଂ ସନାତନ ପୂର୍ବରୁ ସୁରଟରେ ରହୁଥିବା ବେଳେ ଏବେ କିଛିଦିନ ହେବ ଗାଁଆରେ ରହିଆସୁଥିଲେ ।

ସମ୍ବନ୍ଧିତ ଖବର