ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଡାଟାଏଣ୍ଟ୍ରି ଅପରେଟର ଅଟକ, କୂଳସାହି ପ୍ରତାପରୁଦ୍ରପୁର ରାସ୍ତାରେ ଆକ୍ରମଣ

ବାଲିଅନ୍ତା: ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବ୍ୟବସାୟ ଜନିତ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ୩ ଜଣ ଦୁର୍ବୃତ୍ତ ଜଣେ ଧାନ ବ୍ୟବସାୟୀଙ୍କ ଉପରକୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରିଛନ୍ତି। ବୋମା ମାଡ଼ରେ ସ୍ଥାନୀୟ କୂଳସାହି ଗ୍ରାମର ସଦାଶିବ ମିଶ୍ର(୭୦) ନାମକ ଜଣେ ବରିଷ୍ଠ ନାଗରିକ ଗୁରୁତର ଆହତ ହୋଇଛନ୍ତି। ସଦାଶିବଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି। ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବା ଫଳରେ ଘଟଣାସ୍ଥଳରେ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ।

ଏପଟେ ବୋମା ଫୁଟିବା ସବ୍ଦ ଶୁଣି ଆଖପାଖ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଆଉ କ୍ଷତବିକ୍ଷତ ଅବସ୍ଥାରେ ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ସଦାଶିବଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଥିବା ଓ ଚେତା ଫେରି ଆସିଥିବା ଜଣେ ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି।

ଏପଟେ ବାଲିଅନ୍ତା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗଣ୍ଡଗୋଳ ସ୍ଥାନରୁ ପୁଲିସ ଦୁଇଟି ସୁତୁଲି ବୋମାର ଟୁକୁଡ଼ା ଅଂଶକୁ ଜବତ କରିଥିଲା। ପରେ ବାଲିଅନ୍ତା ଥାନା ପୁଲିସ ଏମ୍ସ ହସ୍ପିଟାଲରେ ପହଞ୍ଚି ସଦାଶିବଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିଛି। ସମବାୟ ମଣ୍ଡିରେ ଚାଷୀଙ୍କ ନାମ ପଂଜୀକରଣ ଓ ଧାନ ବିକ୍ରି କରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି। ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ସେବା ଦସମବାୟ ସମିତିର ଡାଟାଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ନନ୍ଦ (୨୮)ଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏହି ଗଣ୍ଡଗୋଳ ଘଟଣାରେ ଆଉ ୨ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ସମ୍ବନ୍ଧିତ ଖବର