ସମ୍ବଲପୁର: ପହରିଦିନ ଥିଲା ହୋଲି। ରମଜାନ ମାସ ବି ଚାଲିଛି। ବ୍ୟସ୍ତବହୁଳ ପୀରବାବା ଛକ ଅଂଚଳରେ ବୋମାମାଡ଼କରି ସହରରେ ଆତଙ୍କ ଓ ଶାନ୍ତିଭଂଗ କରିବା ଲାଗି ହୀନଉଦ୍ୟମ ପୁଲିସର ତତ୍ପରତା ଯୋଗୁଁ ପଣ୍ଡ ହୋଇଯାଇଛି । ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍ ବୋମାମାଡ଼ ହୋଇଥିଲା। ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ପ୍ରତିଶୋଧ ନେବା ପାଇଁ ହୋଇଥିବା ଏହି ‘ପ୍ରେସ୍ର ବୋମା’ ମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହେବା ସହିତ ଗୋଟିଏ ବୁଲେଟ୍(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଛି। ତେବେ, ପୁଲିସ ଘଟଣାର ୨୦ ଘଣ୍ଟା ଭିତରେ ଏକମାତ୍ର ଅଭିଯୁକ୍ତ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର(୧୯)କୁ ଗିରଫ କରିବାରେ ସଫଳ ହୋଇଛି।
ମଂଗଳବାର ସନ୍ଧ୍ୟା ୭ଟା ୨୪ରେ ସମ୍ବଲପୁର ସହର ଫ୍ଲାଇଓଭର ଉପରୁ ପୀରବାବା ଛକରେ ଥିବା ସଦର ମସ୍ଜିଦ ସମ୍ମୁଖକୁ ବୋମା ଫିଙ୍ଗା ଯାଇଥିଲା। ବୋମାକୁ ଏକ ଡବାରେ ଖଂଜା ଯାଇଥିଲା। ମସ୍ଜିଦରୁ ରୋଜା ସାରି ବାହାରିବା ସମୟ ହୋଇଥିବାରୁ ସେଠାରେ ପ୍ରବଳ ଭିଡ଼ ହୋଇଥାଏ। ଗୋଲବଜାରର ମହମ୍ମଦ କାସିମ ଓ ମୋତିଝରଣ ଅଂଚଳର ମହମ୍ମଦ ସାହିଦ ଏହି ଡବାକୁ ଖୋଲିବା ସମୟରେ ଏହା ଫାଟିଥିଲା। ଏଥିରେ ଏସ୍ବିପି ମାଫିଆ ଗ୍ୟାଙ୍ଗ ଏବଂ ସୁଶୀଳ ପାଇକା ନାମ ଉଲ୍ଲେଖ ରହିଥିଲା। ବୋମା ଫାଟିବା ଯୋଗୁଁ ମହମ୍ମଦ କାସିମ, ମହମ୍ମଦ ସାହିଦ ଏବଂ ପାଖରେ ଥିବା ଜଣେ ରିକ୍ସାଚାଳକ ସିଓଲ ନାୟକ ଆହତ ହୋଇଥିଲେ। ବୋମା ଫାଟିବା ପରେ ପୀରବାବା ଛକରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶହ ଶହ ଲୋକ ଏକାଠି ହୋଇଯାଇଥିଲେ। ଭାଇଚାରାର ସହର ସମ୍ବଲପୁରରେ ପୁଣି ଶାନ୍ତିଭଂଗ ଉଦ୍ୟମ ହେଉଥିବା ଆଶଙ୍କା କରି ଲୋକେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଆଇଜି ହିମାଂଶୁ ଲାଲ, ଏସ୍ପି ମୁକେଶ ଭାମୁଙ୍କ ସହିତ ବହୁ ସଂଖ୍ୟାରେ ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଥିଲେ। ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ପୁଲିସକୁ ବହୁ ସମୟ ଲାଗି ଯାଇଥିଲା। ଉତ୍ତେଜନା ନିୟନ୍ତ୍ରଣାଧୀନ ହେବା ପରେ ରାତିଅଧରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଆଜି ସନ୍ଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଂଚଳ ପୁଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି, ଅଭିଯୁକ୍ତକୁ ଧରିବା ପାଇଁ ବ୍ୟାପକ ଉଦ୍ୟମ ହୋଇଥିଲା। ସିସିଟିଭି କ୍ୟାମେରା, ସିଡିଆର୍ ସହିତ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରାଯାଇଥିଲା। ଆଇଟିଆଇ ଦ୍ବିତୀୟ ବର୍ଷର ଛାତ୍ର ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର ବ୍ୟକ୍ତିଗତ ଶତ୍ରୁତା ଥିବା ସୁଶୀଳ ପାଇକା ଉପରେ ପ୍ରତିଶୋଧ ନେବା ନିମନ୍ତେ ଏଭଳି କାଣ୍ଡ ଭିଆଇଥିଲା ବୋଲି ସେ କହିଛନ୍ତି। ଏସ୍ପି ମୁକେଶ ଭାମୁ କହିଲେ ଯେ, ସୁଶୀଳ ପାଇକା ସାମାଜିକ ଗଣମାଧ୍ୟମ(ଇନ୍ଷ୍ଟାଗ୍ରାମ)ରେ ସମ୍ବଲପୁରରେ ସକ୍ରିୟ ଥିବା ‘ଏସ୍ବିପି ମାଫିଆ ଗ୍ୟାଙ୍ଗ’ର ସଦସ୍ୟ ଅଟେ। ସୁଶୀଳ ପାଇକା ଏବଂ ଅଭିଯୁକ୍ତ ଅଭିଳାଷ ମିଶ୍ରର ପିତା ଦିଲୀପ ମିଶ୍ରଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଦିଲୀପଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା ସୁଶୀଳ। ତେଣୁ, ସୁଶୀଳକୁ ଫସାଇବା ପାଇଁ ଅଭିଳାଷ ଯୋଜନା ପ୍ରସ୍ତୁତ କରିଥିଲା। ୟୁଟ୍ୟୁବ୍ରୁ ବୋମା ତିଆରି କୌଶଳ ଶିଖିଥିଲା। ଆତଙ୍କ ସୃଷ୍ଟି ନିମନ୍ତେ ଜନଗହଳିପୂର୍ଣ୍ଣ ଜାଗା, ସିସିଟିଭି କ୍ୟାମେରା ନଥିବା ଏବଂ ଫ୍ଲାଇଓଭର ଦେଇ ସହଜରେ ଖସି ପଳାଇବା ବାଟ ଥିବା ଯୋଗୁଁ ସେ ପୀରବାବା ଛକକୁ ବାଛିଥିଲା ବୋଲି ଏସ୍ପି ଶ୍ରୀ ଭାମୁ କହିଛନ୍ତି। କିନ୍ତୁ, ବିଭିନ୍ନ ସ୍ଥାନର ସିସିଟିଭି କ୍ୟାମେରା ଫୁଟେଜ୍ ଏବଂ ଅନ୍ୟାନ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଅଭିଳାଷକୁ ଧରିବା ସମ୍ଭବ ହୋଇଥିଲା ବୋଲି ଏସ୍ପି କହିଛନ୍ତି। ଅଭିଳାଷ ଠାରୁ ଘଟଣାରେ ବ୍ୟବହୃତ ଧଳା ରଂଗର ସାଇକେଲ, ଧଳା ହୁଡି ଟି-ସାର୍ଟ, ମୋବାଇଲ ଫୋନ୍, ସ୍କୁଟି, ବୋମା ତିଆରିରେ ବ୍ୟବହୃତ ବୈଦ୍ୟୁତିକ ସାମଗ୍ରୀ ସହିତ ମୋଟ ୧୬ଟି ସାମଗ୍ରୀ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତୋଫାନ ବାଗଙ୍କ ସହିତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ବ୍ୟକ୍ତିଗତ ଶତ୍ରୁତା ପାଇଁ ବୋମାମାଡ଼
/sambad/media/post_attachments/wp-content/uploads/2024/03/Untitled-156.jpg)