ବମ୍ବେ-ହାୱଡା ତୃତୀୟ ରେଳଲାଇନ୍‌: ୯ ବସ୍ତିକୁ ଖାଲି କରିବାକୁ ନିର୍ଦ୍ଦେଶ

ରାଉରକେଲା: ବହୁ ପ୍ରତୀକ୍ଷିତ ମୁମ୍ବାଇ-ହାୱଡା ତୃତୀୟ ଲାଇନ୍‌ ଆଗେଇ ପାରୁନି। ବନ୍ଧମୁଣ୍ଡା ଓ ପାନପୋଷ ବ୍ରାହ୍ମଣୀ ପୋଲ ପାର୍ଶ୍ବରୁ କାମ ସରିଛି। ହେଲେ ରାଉରକେଲା ଷ୍ଟେସନରୁ ପାନପୋଷ ମଧ୍ୟରେ ଜବରଦଖଲ ସମସ୍ୟାରୁ ବର୍ଷ ବର୍ଷ ଧରି କାମ ଆଗେଇପାରୁନି। ରେବଳାଇ ପକ୍ଷରୁ ଥରେ କି ଦୁଇ ଥର ନୁହେଁ ଏକାଧିବାର ଜବରଦଖଲକାରୀଙ୍କୁ ବସ୍ତି ଖାଲି କରିବାକୁ ନୋଟିସ୍‌ ଜାରି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କେବଳ ମାଲଗୋଦାମ ରେଳଫାଟକ ନିକଟରେ ଗୋଟିଏ ମାତ୍ର ବସ୍ତିକୁ ଜିଲ୍ଲା ଓ ରେଳବାଇ ପ୍ରଶାସନ ଖାଲି କରିବାକୁ ସଫଳ ହୋଇଛି। ପୁଣି ରେଳବାଇ ୯ ବସ୍ତିର ଚିହ୍ନଟ ହୋଇଥିବା ପ୍ରାୟ ୩ ହଜାରରୁ ଅଧିକ ଘର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୭୭ ଘରକୁ ଖାଲି କରିବାକୁ ନୋଟିସ୍‌ କରିଛି। ୭ ଦିନ ମଧ୍ୟରେ ଘର ଖାଲି କରିବାକୁ ନୋଟିସ୍‌ରେ ଦର୍ଶାଯାଇଛି।

ଖାଲି କରାନଗଲେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଆସିଷ୍ଟାଣ୍ଟ ଡିଭିଜିନାଲ ଇଞ୍ଜିନିୟର ପକ୍ଷରୁ ନୋଟିସ୍‌ ପାଇଥିବା ବସ୍ତିର ଘରଗୁଡ଼ିକ ଖାଲି ହେଉଛି ନା ପୂର୍ବପରି କେବଳ ନୋଟିସ୍‌ରେ ସୀମିତ ରହିଯାଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରାୟ ୮ ବର୍ଷ ଧରି ମୁମ୍ବାଇ-ହାୱଡା ରେଳ ଲାଇନର ଡାହାଣ ପାର୍ଶ୍ବ ଉଚ୍ଛେଦ ପାଇଁ ୯ଟି ବସ୍ତିର ପାଖାପାଖି ୩ ହଜାରରୁ ଅଧିକ ଘର ଚିହ୍ନଟ ହୋଇଥିଲା। ଉଭୟ ରେଳବାଇ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ ସେମିତି ଅଧାରେ ଅଟକିଛି। କେବଳ ଏତିକି ନୁହେଁ ବସ୍ତିଗୁଡ଼ିକୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଓ ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

୩ ବର୍ଷ ତଳେ ରେବଳାଇ ତୃତୀୟ ଲାଇନ କାମ ଆଗେଇ ନେବାକୁ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗର ଡାହାଣ ପାର୍ଶ୍ବର ୮୪ ଫୁଟ୍ ପର୍ଯ୍ୟନ୍ତ ଜାଗା ଚିହ୍ନଟ କରିଥିଲା। ୮୪ ଫୁଟ୍ ଜାଗା ମଧ୍ୟରେ ରାଉରକେଲାରୁ -ପାନପୋଷ ମଧ୍ୟରେ ବିରଜାପାଲି, ହରିପୁର, ଅମ୍ବେଦକରନଗର, ମାଲଗୋଦାମ, ଏଫ୍ସିଆଇ, ଗଙ୍ଗାଧରପାଲି, ଗଜପତିବସ୍ତି, ଖରିଆବାହାଲ ଏମିତି ୯ଟି ବସ୍ତିର ୪ହଜାରରୁ ଅଧିକ ଘର ଚିହ୍ନଟ ହୋଇଥିଲା। ପ୍ରତିବାଦରେ ବସ୍ତିର ପ୍ରତିନିଧି ରାଜନୈତିକ ନେତାଙ୍କ ନେତୃତ୍ବରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଲ୍ଲୀରେ ଭେଟିଥିଲେ। ୮୪ ଫୁଟ୍ ପରିବର୍ତ୍ତେ ୬୫ ଫୁଟ୍ ପର୍ଯ୍ୟନ୍ତ ଉଚ୍ଛେଦ ସହ କିଛି ମାସ ସମୟ ଦେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର