ପୂର୍ବ ଶତ୍ରୁତାରୁ ବୋମାମାଡ଼, ୨ ଆହତ, ଭାଙ୍ଗିଲା ଆଜ୍‌ବେଷ୍ଟସ୍‌, ୩ ଅଳ୍ପକେ ବର୍ତ୍ତିଲେ; ମୁଖ୍ୟ ଅଭିଯୁକ୍ତ ଗିରଫ

ତିଗିରିଆ: ତିଗିରିଆ ଥାନା ଜେମାଦେଈପୁର ପଞ୍ଚାୟତ ଅନ୍ତର୍ଗତ ବନମାଳିପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ବୋମାମାଡରେ ୨ ଜଣ ଆହତ ହୋଇଥିଲା ଦୁଇ ବଖରା ଆଜବେଷ୍ଟସ ଛାତ ଭାଙ୍ଗି ଯାଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଜେମାଦେଈପୁର ପଞ୍ଚାୟତ ବନମାଳିପୁର ଗ୍ରାମର ଶରତ ରାଉତଙ୍କ ସମେତ ତାଙ୍କ ପତ୍ନୀ, ସାନ ପୁଅ, ଝିଆରୀ ଓ ଦେଢ଼ ଶାଶୂ ଶୋଇଥିଲା ବେଳେ କେତେକ ଦୁର୍ବୃତ୍ତ ଘର ଉପରକୁ ବୋମାମାଡ଼ କରିଥିଲେ। ଫଳରେ ଶରତଙ୍କ ସାନ ପୁଅ ଶାଶ୍ୱତ ରାଉତ (୧୯) ଓ ଝିଆରୀ ମୋନାଲିସା ପ୍ରଧାନ (୧୯) ଆହତ ହୋଇଥିଲେ। ଶାଶ୍ୱତଙ୍କ ପିଠିସାରା ବୋମାର ଟୁକୁଡ଼ା ବାଜିଥିଲା ବେଳେ ମୋନାଲିସାଙ୍କ ନାକ ଫାଟି ଯାଇଥିବା ଜଣାପଡ଼ିଛି। ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଚିକିତ୍ସା କରାଯାଇଛି।

ତେବେ ଘରେ ଥିବା ଶରତ, ତାଙ୍କ ପତ୍ନୀ ଓ ଦେଢ଼ ଶାଶୂ ବୋମାମାଡ଼ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ବୋମାମାଡ଼ରେ ଘର ଆଜ୍‌ବେଷ୍ଟସ୍‌ ଭାଙ୍ଗିଯିବା ସହ ଘର କାନ୍ଥ ଓ କେତେକ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ବୋମାମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ଶରତ ସଂଗେ ସଂଗେ ବାହାରକୁ ଆସିବାରୁ ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରହଲ୍ଲାଦ ଜେନା ଓ ମହେନ୍ଦ୍ର ଜେନାଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ଦୌଡ଼ି ପଳାଇ ଯାଉଥିବା ସେ ଦେଖିଥିଲେ ବୋଲି ଅଭିଯୋଗ କରିଛନ୍ତି। ୮ଦିନ ତଳେ ଅଭିଯୁକ୍ତମାନେ ଶରତଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଶରତଙ୍କ ଅଭିଯୋଗକୁ ଭିତ୍ତି କରି ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ଏକ ମାମଲା (କେସ ନମ୍ବର ୧୧୭/୨୨; ଦଫା-୩୨୩, ୩୨୫, ୩୩୭, ୩୦୭, ୫୦୬, ୩୪ ଆଇପିସି; ଆର/ଡବ୍ଲ୍ୟୁ ସେକ୍ସନ-୩/୪ ଏକ୍ସପ୍ଲୋସିଭ ଆକ୍ଟ) ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ପ୍ରହ୍ଲାଦ ଜେନାକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ସହ ଶରତଙ୍କର ଶତ୍ରୁତା ଲାଗି ରହିଥିଲା। ୨୦୧୫ରେ ପୂର୍ଣ୍ଣଚନ୍ଦ୍ର ନିଜର କେତେକ ସହଯୋଗୀଙ୍କ ସହ ତାଙ୍କ ଘରେ ପଶି ଚୋରି ଓ ଗଣ୍ଡଗୋଳ କରିଥିବା ନେଇ ଶରତ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜାମିନରେ ଆସିଥିବା ଶରତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର