ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଘୋଡାପଦା ନିକଟସ୍ଥ ବାଲିସାହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଧାନ ବିଲରୁ ହାଡ ଓ ଖପୁରୀ ଭର୍ତ୍ତି ପଲିଥିନ୍ ମିଳିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ସକାଳେ ବାଲିସାହି ଗ୍ରାମର ବଳରାମ ମହାପାତ୍ର ତାଙ୍କ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ ପଲିଥିନ୍ ବିଲରେ ପଡିଥିବା ଦେଖିବାକୁ ପାଇ ସ୍ଥାନୀୟଲୋକଙ୍କୁ ଓ ସଦର ପୁଲିସକୁ ସୂଚନା ଦେଇଥିଲେ। ସଦର ପୁଲିସ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଧାନ ବିଲରୁ ଉକ୍ତ ପଲିଥିନ୍ ଆଣି ଥିଲେ। ତା’ ଭିତରେ ଚାରିଟି ହାଡ ଓ ଭଙ୍ଗା ଖପୁରୀ ଥିବା ଦେଖିବାକୁ ମିଳିଥିଲା। ତେବେ ଏହି ହାଡଗୁଡ଼ିକ ମଣିଷର ବୋଲି ସନ୍ଦେହ କରାଯାଉଥିବା ବେଳେ। ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଏପଟେ ସଦର ଥାନା ଆଇଆଇସି ମମତା ସାହୁ ଉକ୍ତ ହାଡଗୁଡ଼ିକୁ ଜବତ କରି ୪୩/୧୮ରେ ମାମଲା ରୁଜୁ କରିଛନ୍ତି। ଏବଂ ଉକ୍ତ ହାଡଗୁଡ଼ିକୁ ଡିଏନ୍ଏ ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଛନ୍ତି। ସଦର ଥାନା ଆଇଆଇସି ମମତା ସାହୁଙ୍କ କହିବାନୁସାରେ, ତଦନ୍ତ ତ ଚାଲିଛି। କିନ୍ତୁ ନିକଟରେ ହୋଇଥିବା ବନ୍ୟା ହେତୁ ଏହା ହାଡ ଭର୍ତ୍ତି ପଲିଥିନ୍ କେଉଁଠାରୁ ଭାସି ଆସି ଥାଇପାରି ବି କୁହାଯାଇପାରେ।