ଜୟପୁର: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଚଳିତ ଫସଲ ଋତୁ ପାଇଁ କେନ୍ଦୁପତ୍ର ତୋଳାଳୀଙ୍କୁ ୫୦% ବୋନସ୍ ମିଳିବାକୁ ଯାଉଛି। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଧିକ। ସେହିପରି କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦% ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି। ସାମୟିକ କର୍ମଚାରୀଙ୍କୁ ଏକ ମାସର ଅଧିକ କାମ ଯୋଗାଇ ଦିଆଯିବା ସହ ସେମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ସାମାଜିକ ସୁରକ୍ଷାରେ ସାମିଲ ହେବା ପାଇଁ କେନ୍ଦୁପତ୍ର ତୋଳାଳୀଙ୍କ ବୟସସୀମା ୬୦ରୁ ୬୨କୁ ବୃଦ୍ଧି ପାଇଛି। ଦୁଇଟି ଝିଅ ବାହାଘର ପାଇଁ ୨୫ ହଜାର ଲେଖାଏଁ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଜୟପୁର କେନ୍ଦୁପତ୍ର ବନଖଣ୍ଡର ୫୬ହଜାର ୯୮୩ ଜଣ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ୍ ଓ ୧୨୦୮ଜଣ ଋତୁକାଳୀନ କର୍ମଚାରୀ ଏହା ପାଇବେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ଶସ୍ୟ ବର୍ଷ ୨୦୨୨-୨୩ରେ ସରକାରୀ ବିଭାଗ ଜରିଆରେ ୪୦ ପତ୍ର ବିଶିଷ୍ଟ ଗୋଟିଏ କୋରୀକୁ ୨ ଟଙ୍କା ୮୦ ପଇସା ହିସାବରେ କିଣାଯାଇଥିଲା। ବନଖଣ୍ଡର କୋରାପୁଟ, ନବରଙ୍ଗପୁର ଓ ମାଲାକାନଗିରୀ ଜିଲ୍ଲାରେ ୫୯ ହଜାର ୯୩୮ ଜଣ ତୋଳାଳୀଙ୍କ ଠାରୁ ସମୁଦାୟ ୭ କୋଟି ୯୧ ଲକ୍ଷ ୬୬ ହଜାର ୭୧୫ ସଂଖ୍ୟକ କେରୀ ମୋଟ ୨୫ କୋଟି ୨୦ ଲକ୍ଷ ୫ ହଜାର ଟଙ୍କାରେ କିଣାଯାଇଥିଲା। ୨୦୨୩-୨୦୨୪ ଶସ୍ୟ ବର୍ଷ ପାଇଁ ୨୬ କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟର ୯ କୋଟି ୩୭ ଲକ୍ଷ ୫୦ ହଜାର ସଂଖ୍ୟକ କେରୀ ଖରିଦ କରାଯାଇଥିବା କେନ୍ଦୁପତ୍ର ଡିଭିଜନରୁ ସୂଚନା ମିଳିଛି। ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିନରେ ହେକ୍ଟର ଭୂମିରେ ଗୋଚ୍ଛା କଟେଇ ବାବଦକୁ ୨,୬୪,୮୩,୦୦୦ ଟଙ୍କା ଖର୍ଚ୍ଚ କରି ମୋଟ ୭୧ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିନରେ ଚଳିତ ଶସ୍ୟ ବର୍ଷ ପାଇଁ ୧୨୦୮ ଜଣଙ୍କୁ ଋତୁକାଳୀନ କର୍ମଚାରୀ ଭାବେ ୫୧୦ଟି କେନ୍ଦୁପତ୍ର ସଂଗ୍ରହ କେନ୍ଦ୍ର ତଥା ଗୋଦାମ ଗୃହରେ ନିୟୋଜିତ କରାଯାଇଥିଲା। ବନଖଣ୍ଡ ଅଧିନରେ ମୃତ୍ୟୁବରଣ କରିଥିବା ୧୦୬ଜଣ ତୋଳାଳୀ ଓ ୫ ଜଣ ଋତୁକାଳୀନ କର୍ମଚାରୀମାନଙ୍କୁ ପରିବାରବର୍ଗଙ୍କୁ କଲ୍ୟାଣ ପାଣ୍ଠି ଜରିୟାରେ ମୃତ୍ୟୁକାଳୀନ ସହାୟତା ବାବଦରେ ୨ କୋଟି ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଡିଭିଜନ ପକ୍ଷରୁ ସୂଚନା ମିଳିଛି।
ସମସ୍ତ ଋତୁକାଳୀନ କର୍ମଚାରୀମାନଙ୍କୁ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଜମା କରିବା ସହ ଗ୍ରାଚ୍ୟୁଟି ବି ଦିଆଯାଉଛି। ଗତ ବର୍ଷ ଏ ବାବଦରେ ବନଖଣ୍ଡ ପକ୍ଷରୁ ୨୮ ଜଣ ଋତୁକାଳୀନ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଟି ବାବଦକୁ ମୋଟ ୨୧,୩୧,୯୧୯ଟଙ୍କା ଦିଆଯାଇଛି। ଏତଦ୍ ବ୍ୟତୀତ, ଗତ ୨୦୨୨ ଶସ୍ୟ ବର୍ଷରେ ନଭେମ୍ଵର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜୟପୁର କେନ୍ଦୁପତ୍ର ବନଖଣ୍ଡ ପରିସୀମାରେ ରହିଥିବା କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାରେ ସରକାରୀ ପଢିମାନଙ୍କରେ ପତ୍ର ଦେଇଥିବା ସର୍ବମୋଟ ୫୬,୯,୮୩ ଜଣ ତୋଳାଳୀଙ୍କୁ ମୁଣ୍ଡପିଛା ଏକ ହଜାର ଟଙ୍କା ହିସାବରେ ମୋଟ ୫,୬୯,୮୩,୦୦୦ ଟଙ୍କା ଏବଂ ୧,୨୦୮ ଋତୂକାଳୀନ କର୍ମଚାରୀଙ୍କୁ ମୁଣ୍ଡପିଛା ଏକ ହଜାର ପାଂଚ ଶହ ଟଙ୍କା ହିସାବରେ ମୋଟ ୧୮,୧୨,୦୦ ଟଙ୍କାର ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସିଧାସଳଖ ପଠେଇବା ବ୍ୟବସ୍ଥା କରାଯାଇଥିବା ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଏବେ ରାଜ୍ୟ ସରକାର ଘୋଷଣା କରିଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ୫୦% ବୋନସ୍ ଓ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦% ପ୍ରତ୍ସାହନ ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଡିଭିଜନ୍ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/jpr-kendu-patra-bush-cutting-old-photo.jpg)