ଘରୋଇ ଓଡ଼ିଆ ସ୍କୁଲ ବହି, ଖାତା ବିକ୍ରିରେ ଅଭିଭାବକଙ୍କୁ ଶୋଷଣ

ସରକାରୀ ବହିକୁ ସରକାରଙ୍କଠାରୁ କିଣି ଅଧିକ ମୂଲ୍ୟରେ ବିକ୍ରି କରା ଯାଉଛି

ରାଉରକେଲା: ଆସନ୍ତା ଜୁନ୍‌ ୧୭ରେ ଉଭୟ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ସରକାର। କରୋନା ସଂକ୍ରମଣ ନ କମିଲେ ସମୟ ସୀମା ଆହୁରି ବଢ଼ା ଯାଇପାରେ। ସାଧାରଣ ଲୋକେ କରୋନା ଲକ୍‌ଡାଉନ୍‌ରେ କଷ୍ଟରେ ଥିବାବେଳେ ଏଭଳି କଠିନ ସମୟରେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ପରି ବେପାର ଆରମ୍ଭ କରି ଦେଇଛନ୍ତି ଘରୋଇ ଓଡ଼ିଆ ସ୍କୁଲ। ଏଥିରେ ସମ୍ପୃକ୍ତ ଅଛନ୍ତି ପାଖାପାଖି ୮୦% ସ୍କୁଲ। ବହି, ଖାତା ବିକ୍ରିରେ ଅଭିଭାବକମାନଙ୍କୁ ଶୋଷଣ କରୁଛନ୍ତି।

ପ୍ରମାଣସ୍ବରୂପ କିଛି ଅଭିଭାବକ ନିଜର ନାମ ଗୋପନ ରଖି ସ୍କୁଲରୁ ମିଳିଥିବା ବହି ଓ ଖାତା ତାଲିକାର କପି ଦେଖାଇଛନ୍ତି। ଯେଉଁଥିରେ ସରକାରଙ୍କ ଠାରୁ ମିଳୁଥିବା ବହି ଠାରୁ ଢ଼େର ଅଧିକ ଦର ଥିବା ଦେଖିବାକୁ ମିଳୁଛି। ମହାମାରୀ କରୋନାର ଲକ୍‌ଡାଉନ୍‌ କଟକଣାରେ ଗରିବ ଲୋକମାନେ ପରିବାର ପ୍ରତିପୋଷଣ କରିବା କଷ୍ଟକର। ଏଭଳି କଠିନ ସମୟରେ ବୋଝ ଉପରେ ନଳିତା ବିଡା ସଦୃଶ ଏହି ଘରୋଇ ସ୍କୁଲଗୁଡ଼ିକ ନିଜ ନିଜ ସ୍କୁଲରେ ଚଢ଼ା ଦରରେ ବହି, ଖାତା ବିକ୍ରି କରୁଛନ୍ତି। ବହି ସାଥୀରେ ଖାତା ନେବାକୁ ଅଭିଭାବକମାନଙ୍କୁ ବାଧ୍ୟ କରାଯାଉଛି। କେବଳ ରାଉରକେଲା ସହର ନୁହେଁ ସୁନ୍ଦରଗଡ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ଥିବା ଅଧିକାଂଶ ଘରୋଇ ଓଡ଼ିଆ ସ୍କୁଲରେ ଏଭଳି ‌ହେଉଛି। ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଅଭିଭାବକମାନେ ପ୍ରତିବାଦ ନ କରି ଚୁପ୍‌ ରହୁଛନ୍ତି। ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ବୁଝାସୁଝା କରି ବା ଭୟ ଦେଖାଇ ବିବାଦକୁ ରଫାଦଫା କରି ଦେଉଛନ୍ତି।

ସରକାରୀ ସ୍କୁଲଗୁଡ଼ିକୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ବହି ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତି ବ୍ଲକରେ ମାଗଣା ପାଠ୍ୟପୁସ୍ତକ ମହଜୁତ ରହୁଛି। ଏଥିସହ ଘରୋଇ ଓଡ଼ିଆ ସ୍କୁଲଗୁଡ଼ିକୁ ସରକାରୀ ଦରରେ ବହି ବିକ୍ରି ପାଇଁ ଜିଲ୍ଲାର ସୁନ୍ଦରଗଡ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି) କାର୍ଯ୍ୟାଳୟ ଓ ଓ ଉଦିଦନଗରରେ ଦୁଇଟି କାଉଣ୍ଟର ଖୋଲା ଯାଇଛି। ଡିପିସି ଅଫିସରେ ଖୋଲାଯାଇଥିବା କାଉଣ୍ଟର କୁତ୍ରା, ହେମଗିରି, ବାଲିଶଙ୍କରା, ଟାଙ୍ଗରପାଲି, ଲେଫ୍ରିପଡା, ସବ୍‌ଡେଗା, ରାଜଗାଙ୍ଗପୁର, ବଡଗାଁ ଆଦି ୯ଟି ବ୍ଲକକୁ ଘରୋଇ ଓଡ଼ିଆ ସ୍କୁଲଗୁଡ଼ିକ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହି ସରକାରୀ ଧାର୍ଯ୍ୟ ମୂଲ୍ୟରେ ନେଇଥାନ୍ତି।

ଅନୁରୂପ ଭାବେ ଉଦିତନଗର କାଉଣ୍ଟରରୁ ଆଠଟି ବ୍ଲକ ଯଥା ନୂଆଗାଁ, ବିଶ୍ରା, ଲାଠିକଟା, କୁଆରମୁଣ୍ଡା, ବଣାଇଁ, ଲହୁଣୀପଡା, ଗୁରୁଣ୍ଡିଆ ସମେତ ରାଉରକେଲା ସହରର ସମସ୍ତ ଘରୋଇ ଓଡ଼ିଆ ସ୍କୁଲ ଗୁଡ଼ିକ ବହି କିଣିଥାନ୍ତି। କିଛି ଘରୋଇ ସ୍କୁଲ ନିଜସ୍ବ ପାଠ୍ୟପୁସ୍ତକ ବ୍ୟବହାର କରୁଥିବାବେଳେ ଆବଶ୍ୟକ କିଛି ସରକାରୀ ବହି ବିକ୍ରି କାଉଣ୍ଟରରୁ ନେଇଥାନ୍ତି। ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୧୦୦ରୁ ଅଧିକ ଛୋଟ ବଡ ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲ ରହିଛି। ସର୍ବାଧିକ ସ୍କୁଲ ରହିଛି ସ୍ମାର୍ଟ ସିଟି ରାଉରକେଲାରେ। ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହେବା ପରେ ଏହା ଭିତରୁ ଅନେକ ସ୍କୁଲ ଅଭିଭାବକଙ୍କୁ ସ୍କୁଲକୁ ଡାକି ବହି, ଖାତା ବିକିବା ଆରମ୍ଭ କରି ଦେଇଛନ୍ତି। ଲୋକେ କାନମୁଣ୍ଡ ଆଉଁଶି ପିଲାଙ୍ତକ ଭବିଷ୍ୟତ କଥା ଭାବି ବହି ଖାତା କିଣିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର