ଭୁବନେଶ୍ବର: ଓଡ଼ିଶା କଳା ଓ ସଂସ୍କୃତିର ରାଜ୍ୟ। ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ତା'ର ମୁଖ୍ୟ ପରିଚୟ। ଏ ପରିଚୟକୁ ବଜାୟ ରଖିବାରେ ପଶ୍ଚିମ ଓଡ଼ିଶାର ଲୋକମାନେ ଖୁବ୍ ଆଗରେ। ସମ୍ବଲପୁରୀ ନୃତ୍ୟ ସମ୍ବଲପୁରୀ ବାଦ୍ୟଯନ୍ତ୍ର ଓ ସମ୍ବଲପୁରୀ ଶାଢ଼ି ଓଡ଼ିଶାର ଅନ୍ୟ ଏକ ପରିଚୟ। ପଶ୍ଚିମ ଓଡ଼ିଶାର ଲୋକମାନେ କଳାକୁ ନିଜର କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଲୋକପରମ୍ପରା ବଜାୟ ରଖିବା ସହ ନିଜ ପେଟ ମଧ୍ୟ ପୋଷି ପାରୁଥିଲେ। ହେଲେ ଅଚାନକ ଆଧୁନିକତା ଧସେଇ ପଶିଆସିବା ଏବଂ କଳାକାର, ବାଦ୍ୟକାର ଓ ମହୁରିଆମାନଙ୍କ ଜୀବିକା ଚାଲିଯିବା। ସେତେବେଳେ ସେମାନଙ୍କ ସଂଘର୍ଷ ଓ ଦୁର୍ଦ୍ଦିନର ଜ୍ଵଳନ୍ତ ନଥିପତ୍ର ହେଉଛି ‘ଭୁଖା’। ଯାହାକି ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନାଟ୍ୟକାର ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଦ୍ଵାରା ରଚିତ। ଏଥିରେ ନାଟ୍ୟକାର ପଶ୍ଚିମ ଓଡ଼ିଶାର ଏକ ନିପଟ ମଫସଲ ଗାଁର କଳାକାର ବାଦ୍ୟକାର ଓ ମହୁରିଆମାନେ କିଭଳି କଳାକୁ ଆଦରିନେଲେ, ପୁଣି ପରବର୍ତ୍ତୀ ସମୟରେ ଖାଦ୍ୟ ପାଇଁ ଜୀବନ ସହ ସଙ୍ଘର୍ଷ କଲେ। କେବଳ ଏତିକି ନୁହେଁ ତା’ ସହ ଦାରିଦ୍ର୍ୟତା,‌ ନିରକ୍ଷରତା, ଜାତିଗତ ଭେଦଭାବ ପୁଣି ଦାସତ୍ବ କିପରି ପ୍ରତି ମୁହୂର୍ତ୍ତରେ ଝୁଣି ଖାଉଥିଲା ସେମାନଙ୍କୁ ତାର ଏକ ନିଖୁଣ ଚିତ୍ର ଦେଖିବାକୁ ମିଳେ ଏ ନାଟକରେ।

Advertisment

ଏ କାଳଜୟୀ ନାଟକ ଆଉ ଏବେ ଓଡ଼ିଶା କିମ୍ବା ପଶ୍ଚିମ ଓଡ଼ିଶା ଅବା କେବଳ ସମ୍ବଲପୁରୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସିମୀତ ରହିବ ନାହିଁ ବରଂ ଭାରତୀୟ ସାହିତ୍ୟ ତଥା ବିଶ୍ବ ସାହିତ୍ୟରେ ପାଦ ଥାପିବ ଖୁବଶୀଘ୍ର। ଯାହାକୁ ଇଂରାଜୀ ଭାଷାରେ ଅନୁବାଦ କରିଛନ୍ତି ଅନୁବାଦିକା ଡ଼କ୍ଟର ନିର୍ଝରିଣୀ ତ୍ରିପାଠୀ। ଯାହାକି ଦି ଷ୍ଟାର୍ଭ୍ଡ ନାମରେ ଅନୁବାଦିତ ଏବଂ ହାସେଟ୍ ୟୁକେ ପବ୍ଲିକେସନ ହାଉସ୍ ଦ୍ବାରା ପ୍ରକାଶିତ। ଏ ଅନୁବାଦର ପ୍ରସ୍ତାବନା ଲେଖିଛନ୍ତି ଓଡ଼ିଶାର ସୁସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଜୟନ୍ତ ମହାପାତ୍ର। ଏ ପ୍ରସ୍ତାବନାରେ ସେ କହିଛନ୍ତି, ଏ ନାଟକ ଦର୍ଶାଉଛି ‘ଆମ ପରମ୍ପରା ଓ ଆଧୁନିକତା ମଧ୍ୟରେ ଥିବା ରୁଗୁରୁଗୁ ଯନ୍ତ୍ରଣାର ଚିତ୍ର ଓ ସଂଘର୍ଷକୁ’। କିପରି ସହଜରେ ଆମ ସଂସ୍କୃତି ଓ ପରମ୍ପରାକୁ ପାଦରେ ଆଡେଇ ଦେଇ ଆମେ ଆଧୁନିକତା ଓ ଉତ୍ତର ଆଧୁନିକତାକୁ କୋଳେଇ ନେଉଛେ ସ୍ବତଃ ପ୍ରବୃତ ଭାବେ, ଯାହାକି ଆମ ଭବିଷ୍ୟତ ପିଢି ପାଇଁ ସମ୍ପୁର୍ଣ୍ଣ ଲୋପ ପାଇ ଯାଇପାରେ।

ଏ ପ୍ରସ୍ତାବନାରେ କବି ଜୟନ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ‘ଏ ଆଧୁନିକ ପୃଥିବୀରେ ଆମ ପରମ୍ପରା ହିଁ ଆମ ମୂଳଦୁଆ ଓ ଆମ ପରିଚୟ ହେବ’। ଏବଂ ସେ କହିଛନ୍ତି ଏ ବହି ଭବିଷ୍ୟତରେ ନିଶ୍ଚୟ ଓକିଲାତି କରିବ ଆମ ସଂସ୍କୃତି, ପରମ୍ପରା, ଲୋକନୃତ୍ୟ, ବାଦ୍ୟଯନ୍ତ୍ର, ଆମ ସଙ୍ଘର୍ଷ ଆମ ଉଲ୍ଲାସ, ଆମ ଭାଇଚାରା ଏବଂ ଆମ ଲୋକଗୀତକୁ ପରିଚିତ କରାଇବ ବିଶ୍ବ ସାହିତ୍ୟରେ। ଏ ପ୍ରସ୍ତାବନାରେ କବି ଜୟନ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏ ନାଟକକୁ ଇଂରାଜୀ ଭାଷାରେ ଅନୁବାଦ କରି ଅନୁବାଦିକା ଡ଼କ୍ଟର ନିର୍ଝରିଣୀ ତ୍ରିପାଠୀ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ନିଆରା ପ୍ରଚେଷ୍ଟା କରିଛନ୍ତି। ଅନୁବାଦିକାଙ୍କ ଶବ୍ଦ ଚୟନରେ ମାଧୁର୍ଯ୍ୟତା, ସାବଲୀଳତା, ଓ ମୌଳିକତାର ଛାପକୁ ବଜାୟ ରଖିବାର ପ୍ରୟାସକୁ ପ୍ରଶଂସା କରିଛନ୍ତି କବି ଜୟନ୍ତ ମହାପାତ୍ର। ଏ ଅନୁବାଦର ଅନୁବାଦିକା ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ଡକ୍ଟର ନିର୍ଝରିଣୀ ତ୍ରିପାଠୀଙ୍କ ମତରେ, ହଜି ଯାଉଥିବା ପରମ୍ପରା ଓ ଲୁଚି ଯାଉଥିବା ସଂସ୍କୃତିର ସମ୍ଭବତଃ ଗୋଟେ ନୂତନ ଯୁଗର ଖୋଜ୍ ଓ ଉତ୍ତର ପିଢୀ ପାଇଁ କିଛି ଛାପ ସାଇତି ଦେବାର ମୋହ ତାଙ୍କୁ ଏ ନାଟକ ଅନୁବାଦ କରିବାକୁ ବାଧ୍ୟ କରିଥିଲା। ସେ କହିଛନ୍ତି ଧୀରେ ଧୀରେ ଲୋପ ପାଇ ଯାଉଥିବା ଲୋକଗୀତ ଓ ସଙ୍ଗୀତକାର, ମରିମରି ଯାଉଥିବା କଳା ଓ କଳାକାର ଏବଂ ସଂସ୍କୃତି ଓ ପରମ୍ପରାକୁ ଆଧାରକରି ବଞ୍ଚୁଥିବା ପରିବାର ବର୍ଗ ଧୀରେ ଧୀରେ ଆଧୁନିକତାକୁ ଆଦରି ନେବାକୁ ବାଧ୍ୟ ହୋଇ ଗଲେଣି। ଏ ବହି ନିଶ୍ଚିତ ଭାବରେ ବିଶ୍ଵାସର ମଞ୍ଜିଟିଏ ଵୁଣିବ ସେମାନଙ୍କ ମନରେ ଗୋଟେ ଆଶାତୀତ ନୂଆ ସକାଳଟେ ପାଇଁ। ଡକ୍ଟର ତ୍ରିପାଠୀଙ୍କ ମତରେ ସମ୍ବଲପୁରୀ ହେଉଛି ଏକ ନିର୍ଦ୍ଧିଷ୍ଟ ଜିଲ୍ଲାର ଭାଷା ଅବା ପଶ୍ଚିମ ଓଡ଼ିଶାର ଭାଷା, କିନ୍ତୁ ଏହା ସମ୍ପୂର୍ଣ୍ଣ ଓଡ଼ିଶାର ଭାଷା ନୁହେଁ।

ହେଲେ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ନାଟକ ‘ଭୁଖା’ ର ମୂଳଭାଷା ସମ୍ବଲପୁରୀ ଯାହାକି ସାରା ଓଡ଼ିଶା କିମ୍ବା ଓଡ଼ିଶା ବାହାରେ ସେତେଟା ଆଦୃତ୍ତି ପାଇନଥିବ। କିନ୍ତୁ ଇଂରାଜୀ ଭାଷାର ଅନୁବାଦ ଏ ନାଟକକୁ ଜାତୀୟ ସ୍ତର ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହ ଏହାର ପ୍ରଭାବ ସାରା ଦେଶରେ ଓ ସାରା ବିଶ୍ବରେ ରହିବ ବୋଲି ସେ ଆଶାବାଦୀ। କେବଳ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାକୁ ଦେଶବ୍ୟାପୀ କି ବିଶ୍ବବ୍ୟାପୀ କରିବା ତାଙ୍କର ଲକ୍ଷ୍ୟ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଜାତିଗତ ଭେଦଭାବ, ନିରକ୍ଷରତା, ଦାରିଦ୍ର୍ୟତା ଏ ସବୁକୁ ଲୋକଲୋଚନକୁ ଆଣିବା ମଧ୍ୟ ତାଙ୍କର ଆଉ ଏକ ପ୍ରାଥମିକ ଲକ୍ଷ। ଏହାସହ ଡକ୍ଟର ନିର୍ଝରିଣୀ ତ୍ରିପାଠୀ ସମ୍ବଲପୁରରେ ଜନ୍ମ ଓ ସେଠି ହିଁ କଟିଛି ପିଲାବେଳ ସେ ଆଖି ଦେଖା ସଂଘର୍ଷ ବି ମନେ ପଡିଥିଲା ତାଙ୍କର ଏ ନାଟକ ଅନୁବାଦ ବେଳେ ବୋଲି ସେ କହିଛନ୍ତି ତାଙ୍କ ମତରେ। ଏବଂ ନି ମାଆ ଓ ମାଟି ପାଇଁ କିଛି କରିବାର ଇଛା ହିଁ ତାଙ୍କୁ ଉର୍ଜା ଯୋଗାଇଥିଲା ଏ ନାଟକର ଅନୁବାଦ ପାଇଁ ବୋଲି ସେ କହିଛନ୍ତି।