ଭୁବନେଶ୍ୱର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ଠାରେ ଭାରତୀୟ ଆମେରିକା ନିବାସୀ ରୁପା ଦାଶଙ୍କର ଇଂରାଜୀ ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ ହୋଇଛି। ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡଃ. ମୃଣାଳ ଚାଟ୍ଟାର୍ଜୀ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି। ପୁସ୍ତକରେ ବିଶ୍ୱର ବିଭିନ୍ନ ପ୍ରାନ୍ତରର ୬୦ ଜଣ ସଶକ୍ତ ନାରୀଙ୍କ କଥା ଉଲ୍ଲେଖ ରହିଛି। ନାରୀମାନେ କିପରି ବିଭିନ୍ନ ବାଧକ ସତ୍ତ୍ୱେ ନିଜେ ସଶକ୍ତ ହୋଇ ପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛନ୍ତି; ତା’ର ଉଦାହରଣ ଦେଖିବାକୁ ମିଳିଛି ପୁସ୍ତକରେ। ପୁସ୍ତକ ଉନ୍ମୋଚନ କରି ଡଃ. ଚାଟ୍ଟାର୍ଜୀ କହିଛନ୍ତି, ନିଜ ଲକ୍ଷ୍ୟ ସ୍ଥିର କରିବା ସହ ଆତ୍ମବିଶ୍ୱାସ ଓ ନିଷ୍ଠା ରହିଲେ ଜଣେ ନିଶ୍ଚୟ ସଫଳ ହୋଇ ପାରିବ। ସେଥିପାଇଁ ପିଲାଟିଦିନୁ ନିଜର ଦିଶା ବାଛିବା ଦରକାର। ଆଉ ସେହି ଦିଶା ସଫଳ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି।

Advertisment

ସେହିପରି ପୁସ୍ତକର ଲେଖିକାରୁପା ଦାଶ କହିଛନ୍ତି, ଆଜିକାଲି ମହିଳାମାନେ କେବଳ ସଫଳ ହେଉ ନାହାନ୍ତି ବରଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି। ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଆଉ ସଫଳ ହେବା ଦିଗରେ ସମସ୍ତଙ୍କୁ ଉତ୍ସାହ ଦେଉଛନ୍ତି। ସାରା ବିଶ୍ୱରେ ଏମିତି ଅନେକ ନାରୀଙ୍କ ଉଦାହରଣ ରହିଛି। ଏଣୁ ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ଉଚିତ ଆଉ ତାକୁ ହାସଲ କରିବା ପାଇଁ ପରିଶ୍ରମ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି। ପୁସ୍ତକର ଡିଜାଇନ୍‍ କରିଛନ୍ତି ରୂପା ଦାଶଙ୍କ ଦଶ ବର୍ଷୀୟ ଝିଅ ତଥା ପଞ୍ଚମ ଶ୍ରେଣୀ ଛାତ୍ରୀ ଆୟାତି ଦାଶ କର।

publive-image Sambad

ଏହି ଅବସରରେ ଆୟାତି କହିଛନ୍ତି, ନାରୀମାନେ କେଉଁ କ୍ଷେତ୍ରରେ କମ୍‍ ନୁହନ୍ତି। ଯଦିଓ ଆଜି ବି ସମାଜରେ ବିଭିନ୍ନ ସମୟରେ ନାରୀମାନେ ଉପେକ୍ଷିତ ହେଉଛନ୍ତି, ସମାଲୋଚନାର ଶିକାର ହେଉଛନ୍ତି କିନ୍ତୁ ସେଥିରେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। କାରଣ, ନାରୀ ପାଖରେ ସବୁ ଶକ୍ତି ଅଛି। ସେ ନିଜେ ସଶକ୍ତ ହୋଇ ପାରିବା ସହ ଅନ୍ୟଙ୍କୁ ମଧ୍ୟ ସଶକ୍ତ ହେବା ଦିଗରେ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି। ଏହାସହ ଜଣେ ଛୋଟ ଝିଅ କିପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଭାଙ୍ଗି ନପଡ଼ି ନିଜର ସ୍ୱପ୍ନ ସାକାର କରିଛି ତାହା ଏକ ଭିଡିଓ ଉପସ୍ଥାପନା ମାଧ୍ୟମରେ ଆୟାତି ଉପସ୍ଥାପନ କରିଛନ୍ତି। ରୂପା ଦାଶ ଆମେରିକାର ଲସ୍‍ ଆଞ୍ଜେଲେସ୍‍ରେ ଜଣେ ଉଦ୍ୟୋକ୍ତା ଭାବେ ପ୍ରତିଷ୍ଠିତ। ସେ ‘ୱାଲ୍ଡ ଓମ୍ୟାନ୍ ଫାଉଣ୍ଡେସନ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ଅଛନ୍ତି। ହ୍ୱାଇଟ୍‍ ହାଉସ୍‍ ଦ୍ୱାରା ସ୍ୱୀକୃତ ବିଶ୍ୱର ସବୁଠୁଁ ବଡ଼ ମହିଳା ଉଦ୍ୟୋଗୀ ନେଟ୍‍ୱାର୍କର ପ୍ରଥମ ଭାରତୀୟ ଆମେରିକୀୟ ପରିଚାଳନା ନିର୍ଦ୍ଦେଶିକା ସେ। ସେହିପରି ଦଶ ବର୍ଷୀୟ ଆୟାତି ଅନ୍‍ଲାଇନ୍‍ ପ୍ଲାଟ୍‍ଫର୍ମ ‘କ୍ୱିନ୍‍ଡମ୍‍ ମେଟାଭର୍ସ’ର ସହ-ପ୍ରତିଷ୍ଠାତ୍ରୀ।