‘‘ଭଞ୍ଜ ଭୂମିର ଦେଶେ’’ ପୁସ୍ତକ ଲୋକାର୍ପିତ

ବାରିପଦା: ଆଜି ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ଦ୍ବାରା ତରୁଣ ଓଝାଙ୍କ ଲିଖିତ ‘‘ଭଞ୍ଜଭୂମିର ଦେଶେ’’ ଭ୍ରମଣ କାହାଣୀ ପୁସ୍ତକଟି ‌ଲୋକାର୍ପିତ ହୋଇଯାଇଛି। କରୋନା କଟକଣା ନିୟମ ମଧ୍ୟରେ ଏହି ପାଠକାର୍ପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧକ୍ଷ ଅନୀଲ କୁମାର ବିଶ୍ବାଳ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧକ୍ଷା ପୁଷ୍ପା ପାତ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷା ଅସୀମା ସାହୁ, ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପିକା ମିନତୀ ମଲ୍ଲିକ, ଆଇଆଇଟି ମୁମ୍ବାଇର ଗବେଷଣାରତ ଅମୃତା ଚିରଶ୍ମିତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ପୁସ୍ତକରେ ଲେଖକ ତାଙ୍କର ଅଧ୍ୟାପନା ସମୟରେ ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଦୁଇ ଜିଲ୍ଲାରେ ଭଞ୍ଜଭୂମିର କଳା, ସଂସ୍କୃତି ଓ ପର୍ଯ୍ୟଟନ ସଂପର୍କରେ ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ କରିବାର ସୌଭାଗ୍ୟ ଲାଭ କରିଥିବା ବର୍ଣ୍ଣନା କରିଛନ୍ତି।

ସ୍ୱ-ଅନୁଭୂତି ଓ ଅନୁଭବକୁ ଆଧାରକରି ସଂସ୍କୃତି ଓ ପର୍ଯ୍ୟଟନ ଉପରେ ସଚିତ୍ର ବିଜୟୀ, ସମ୍ବାଦ, କାଦମ୍ବିନୀ ତଥା ଅନ୍ୟ ପତ୍ରପତ୍ରିକାରେ ପ୍ରକାଶିତ ଲେଖାଗୁଡ଼ିକର ଏକ କ୍ଷୁଦ୍ର ସଙ୍କଳନ ପ୍ରକାଶନର ପ୍ରୟାସ ଏ ପୁସ୍ତକ ବୋଲି ଲେଖକ ସୂଚନା ଦେଇଛନ୍ତି। ପୁସ୍ତକଟି ଭଞ୍ଜ ଶାସିତ କେନ୍ଦୁଝର ଓ ମୟୂରଭଞ୍ଜ ସଂପର୍କିତ ହୋଇଥିବା ହେତୁ ପୁସ୍ତକର ନାମ ‘ଭଞ୍ଜଭୂମିର ଦେଶେ ରଖାଯାଇଥିବା ଲେଖକ ପ୍ରକାଶ କରିଛନ୍ତି। ଲେଖକ ଶ୍ରୀ ଓଝା ବିଭିନ୍ନ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ଏହି ପୁସ୍ତକଟି ଭୁବନେଶ୍ୱରର ପକ୍ଷୀଘର ପ୍ରକାଶନ ମୁଦ୍ରଣ ଓ ବିପଣନ ଦାୟିତ୍ୱ ନେଇଥିବା ବେଳେ କ୍ଷୁଦ୍ର ପୁସ୍ତକଟି ଭିତରେ ଯେ ଏତେ କଥା, ଏତେ ବ୍ୟଥା, ଏତେ ଆନନ୍ଦର ଅଫୁରନ୍ତ ଉତ୍ସ, ତାହା ପ୍ରତ୍ୟେକ ପାଠକଙ୍କର ନିଶ୍ଚୟ ହୃଦବୋଧ ହେବ ବୋଲି ବିଶ୍ବାସ ରଖିଛନ୍ତି ଲେଖକ।

ସମ୍ବନ୍ଧିତ ଖବର