ଚର୍ମ ରୋଗରେ ଜର୍ଜରିତ ଭାଇଭଉଣୀ, ମୂଲ ଲାଗି ଚିକିତ୍ସା କରି ପାରୁନି ବାପା, ସହାୟତା ପାଇଁ ଆକୁଳ ନିବେଦନ

ଭଞ୍ଜନଗର: କୋମଳମତି ବୟସରେ ସାଙ୍ଗସାଥୀ ମେଳରେ ହସିଖୁସି ଖେଳିବା ବୟସରେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ଭାଇ ଭଉଣୀ। ଦୁନିଆକୁ ଦେଖି ଚିହ୍ନି ଜାଣିବା ଆଗରୁ ବିର‌ଳ ଚର୍ମ ରୋଗ କଲା ଆକ୍ରାନ୍ତ। ମୁହଁରୁ ଆରମ୍ଭ ହୋଇଥିବା ଲାଲ୍‌ ଦାଗ ଧୀରେ ଧୀରେ ସାରା ଶରୀରକୁ ବ୍ୟାପିବାକୁ ଲାଗିଲା। କେହି କିଛି ବୁଝିବା ଆଗରୁ ଶୁଖି କଳାକାଠ ପଡିଗଲା ପୁରା ଶରୀର। ଆଉ ପରିବାରର ଯିଏ ଅଲିଅଳି ଥିଲେ ସେ ଏବେ ପରିବାର ଉପରେ ବୋଝ ସଦୃଶ ପାଲଟିଛନ୍ତି। ଏଭଳି ବିରଳ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କୋକଳବା ପଞ୍ଚାୟତର ବେଣିଆ ସାହିର କାର୍ତ୍ତିକ ନାୟକ ଏବଂ ବନୀତା ନାୟକଙ୍କ ୮ ବର୍ଷର ପୁଅ ପ୍ରଦୀପ ଏବଂ ୧୧ ବର୍ଷର ଝିଅ ରୂପାଲି। କାର୍ତ୍ତିକଙ୍କ ୨ ଟି ଝିଅ ଏବଂ ଗୋଟିଏ ପୁଅ ରହିଥିବା ବେଳେ ବଡ଼ ଝିଅ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି। ଦ୍ବିତୀୟ ଝିଅ ରୂପାଲି ଜନ୍ମ ହେବା ସମୟରେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ରହିଥିଲେ। କିନ୍ତୁ ତାକୁ ୧୦ ମାସ ହେବା ପରେ ତାର ଗାଲରେ ଡିମିରି ସଦୃଶ ଲାଲା ଘା’ ହେବା ଆରମ୍ଭ ହୋଇଥିଲା। ଡାକ୍ତରଙ୍କୁ ଦେଖାଇ ଔଷଧ ଦେଖାଇବା ପରେ ତାହା ଭଲ ‌ହୋଇଥିବା ବେଳେ କିଛି ମାସ ପରେ ପୁଣି ତାହା ମୁହଁରେ ଦେଖା ଦେଇଥିଲା।

ଏହାପରେ ପରିବାର ଲୋକ ଘରୋଇ ଉପଚାର କରିଥିଲେ ମଧ୍ୟ ତାହା ଭଲ ହୋଇନଥିଲା। ତାହା ଧୀରେ ଧୀରେ ଶରୀର ସାରା ବ୍ୟାପିବା ସହ କଳା ହେବାକୁ ଲାଗିଲା। ଏହାର ତିନି ବର୍ଷ ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ତାକୁ ମଧ୍ୟ ସମାନ ଢଙ୍ଗରେ ୭ ମାସ ପରେ ତାର ଶରୀରରେ ସମାନ ଲକ୍ଷଣ ଦେଖା ଦେଲା। ସେହି ସମୟରେ କାର୍ତ୍ତିକ ଉଭୟଙ୍କୁ ଧରି ଭଞ୍ଜନଗର ଏକ ଚର୍ମ ବିଶେ‌ଷଜ୍ଞଙ୍କୁ ଦେଖାଇଥିଲେ। ଡାକ୍ତର ଉଭୟଙ୍କୁ ଧୂଆଁ, ଖରା ‌ଓ ନିଆଁ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ସେ କିଛି ଔଷଧ ଦେଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ପ୍ରକାଶ କରିଛନ୍ତି। ପୂର୍ବରୁ ସେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ପୁଅ ଝିଅର ଅବସ୍ଥା ଦେଖି ଗ୍ରାମରେ ରହି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଯାହା କିଛି ରୋଜଗାର ହେଉଛି ତାହା ପରିବାର ଚଳାଇବାରେ ସରି ଯାଉଛି। ସଞ୍ଚୟ କରି ପିଲାମାନଙ୍କ ଚିକିତ୍ସା କରିବାରେ ଅସମର୍ଥ ପ୍ରକାଶ କରିଛନ୍ତି କାର୍ତ୍ତିକ।

ଆର୍ଥିକ ସମ୍ବଳ ଅଭାବରୁ ଭଲ ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା କରି ପାରୁନାହାଁନ୍ତି। ବର୍ତ୍ତମାନ ଉଭୟଙ୍କ ଶରୀର ସାରା କଳା ଡିମିରି ଭଳି ହେବା ଫଳରେ ‌ଶରୀର ମଧ୍ୟ ଶୁଖିଲା ପଡିବାରେ ଲାଗିଛି। ହାତ ଗୋଡ ଶୁଖି ସରୁ ହେବାକୁ ଲାଗିଲାଣି। ଗୋଡ ପତଳା ପଡିଯିବାରୁ ଚାଲିବାରେ ମଧ୍ୟ ଅକ୍ଷମ ହୋଇଛନ୍ତି ଉଭୟ ଭାଇଭାଉଣୀ। ନିଜ ‌ଗୋଡରେ ଛିଡା ହୋଇ ପାରୁନାହାଁନ୍ତି ଯାହା ଫଳରେ ଦିନରାତି ମ‌ାଆର ସାହାରରେ ବଞ୍ଚିବାକୁ ପଡୁଛି। ନିତ୍ୟକର୍ମ ଠାରୁ ଆରମ୍ଭ କରି ସେମାନଙ୍କ ଖାଇବା ପିଇବା ସବୁ ମାଆ ହିଁ କରୁଥିବା ପ୍ରକାଶ କରିଛନ୍ତି। ସେମାନଙ୍କ ଆଖିକୁ ପୂର୍ବରୁ ଦେଖା ଯାଉଥିବା ବେଳେ ରୋଗ ବଢିବା ସହ ଆଖିକୁ ମଧ୍ୟ ଭଲ ଭାବେ ଦେଖା ଯାଉନି। ଆଖି ଡୋଳା ବଢିବା ସହ ଉଭୟଙ୍କ ଚେହେରା ବିକୃତ ଭଳି ଦେଖା ଗଲାଣି। କାର୍ତ୍ତିକ ଗରୀବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ଉଭୟଙ୍କୁ ସରକାରୀ ସହାୟତାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ଉଭୟ ଭାଇଭଉଣୀ ଚଲା ବୁଲା କରିବାରେ ଅକ୍ଷମ ହୋଇ ସେମାନଙ୍କ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ଦାବି ହୋଇଛି। ଯନ୍ତ୍ରଣା ଦିନକୁ ଦିନ ବଢୁଥିବା ବେଳେ ଆବଶ୍ୟକ ଚିକିତ୍ସା ପାଇଲେ ଝାଉଁଳିବା ପୂର୍ବରୁ ଦୁଇଟି କୋମଳମତି ଜୀବନ ପୁଣି ଥରେ ହସି ଉଠିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର