ବୌଦ୍ଧ: ପଞ୍ଚମ ପାଳିରେ ବାଜିମାତ୍‌ କଲେ ଅମାତ, ଗଡ଼ ବଞ୍ଚାଇଲେ ମହୀଧର

ବେଦ୍ଧ: ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ପଞ୍ଚମ ଥର ପାଇଁ ବିଜୟ ହାସଲ କରି ବିରୋଧୀଙ୍କୁ ଚକିତ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ। ଗୁରୁବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ପଞ୍ଚମ ଥର ପାଇଁ ସେ ବୌଦ୍ଧରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୌଦ୍ଧ ବିଜେଡ଼ି ଶିବିରରେ ଦେଖାଯାଇଛି ପ୍ରବଳ ଉତ୍ସାହ। ବିଜେପିର ପ୍ରତିଦ୍ଵନ୍ଦ୍ୱୀ ସୁଶାନ୍ତ ପ୍ରଧାନଙ୍କୁ ସେ ୧୦,୪୮୪ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ଅନୁରୂପ ବିଜୟ ହାସଲ କରିଛନ୍ତି କଣ୍ଟାମାଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ମହୀଧର ରଣା। ରାଜନୈତିକ ସଂଘର୍ଷ, ଦଳୀୟ ବିଦ୍ରୋହ ଓ ଷଡ଼୍ୟଯନ୍ତ୍ର ପରେ ବି ସେ ୩୬୫୦ଖଣ୍ଡ ଅଧିକ ଭୋଟ ସହ ବିଜୟୀ ହୋଇ ବିରୋଧୀ ମେଣ୍ଟକୁ ଦେଖାଇ ଦେଇଛନ୍ତି ତାଙ୍କ ରାଜନୈତିକ ଅଭିଜ୍ଞତା।

ତେବେ ଚଳିତ ସାଧାରଣ ନିର୍ବାଚନରେ ବିଜେଡ଼ିର ଉଭୟ ପ୍ରାର୍ଥୀଙ୍କୁ ପ୍ରମୁଖ ବିରୋଧୀ ବିଜେପିର କଡ଼ା ଟକ୍କରର ସାମନା କରିବାକୁ ପଡିଥିଲା। ବୌଦ୍ଧ ଓ କଣ୍ଟାମାଲ ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୨୫ ରାଉଣ୍ଡ ଭୋଟ ଗଣତି ହୋଇଥିଲାଯ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପ୍ରଥମ ୫ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଅଗୁଆ ରହୁଥିବା ବେଳେ ୬ଷ୍ଠ ରାଉଣ୍ଡରୁ ଅଚାନକ ପ୍ରଦୀପ ଅମାତଙ୍କ ଖାତାକୁ ଭୋଟ ଟର୍ଣ୍ଣ କରିଥିଲା ଏବଂ ୮୩୮ ଭୋଟରୁ ଆଗକୁ ବଢିଥିଲେ ଓ ୧୦ମ ରାଉଣ୍ଡରୁ ସଂଖ୍ୟା ହଜାରେକୁ ପାର କରିଥିଲାଯ ୧୨ ରାଉଣ୍ଡରେ ୨୨୪୯ ଭୋଟ ଆଗୁଆ ରହିବା ସହ ଶେଷ ୨୫ ନମ୍ବର ରାଉଣ୍ଡ ଶେଷ ସୁଦ୍ଧା ୧୦୪୮୪ ଭୋଟରେ ବିଜୟୀ ହୋଇଥିଲେ।

ଅପରପକ୍ଷେ କଣ୍ଟାମାଲ ନିର୍ବାଚନମଣ୍ଡଳୀରେ ଭୋଟ ଗଣତିର ୧ମରୁ ୧୬ ରାଉଣ୍ଡ ପର୍ଯ୍ୟନ୍ତ ମୋଟ ୭୧୬ ଭୋଟ ସହ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଅଗୁଆ ରହିବା ପରେ ଅଚାନକ ନାଟକୀୟ ପରିବର୍ତ୍ତନ ଦେଖାଯାଇଥିଲା। ୧୭ ରାଉଣ୍ଡରୁ ବିଜେପି ପ୍ରାର୍ଥୀଙ୍କ ଖାତାରୁ ଭୋଟ କଟିବା ଆରମ୍ଭ ହୋଇଥିବା ବେଳେ ୨୧ ନମ୍ବର ରାଉଣ୍ଡରୁ ବିଜେଡ଼ି ପ୍ରାର୍ଥୀ ମହୀଧରଙ୍କ ଖାତାରେ ୫୬ ଭୋଟରୁ ଯୋଡିବା ଆରମ୍ଭ ହୋଇଥିଲା। ଭୋଟ ଗଣିତର ଅନ୍ତିମ ୨୫ ନମ୍ବର ରାଉଣ୍ଡ ସୁଦ୍ଧା ୩୬୫୦ ଭୋଟ ସହ ଆଗୁଆ ରହି ମହୀଧର ପୁନର୍ବାର କଣ୍ଟାମାଲ ବିଧାୟକ ଭାବେ ନିର୍ବାଚିତ ହୋଇ ବିରୋଧୀଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର