ଅଗଷ୍ଟ ୯ଯାଏଁ ବୌଦ୍ଧ ଜିଲ୍ଲାରେ ପୁଣି ସଟ୍‌ଡାଉନ୍‌, ଦୁଇ ପର୍ଯ୍ୟାୟ ମାର୍ଗଦର୍ଶିକା ଜାରି କଲେ ଜିଲ୍ଲାପାଳ

ବୌଦ୍ଧ: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ବ୍ୟାପି ପୁଣି ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର। ଶୁକ୍ରବାର ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୩ ତାରିଖ ସୋମବାରରୁ ଓ ୬ ତାରିଖ ଗୁରୁବାର ଚାରି ଦିନ ଧରି ଜିଲ୍ଲାବ୍ୟାପି ପ୍ରଥମ ସଟ୍‌ଡାଉନ୍‌ ଓ ଆସନ୍ତା ୭ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍‌ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ୍‌ ଆଂଶିକ ରହିବ। ଏହି ଅବଧିରେ ଗୋଟେ ଓଲି ଅର୍ଥାତ ସକାଳ ୭ଟା ସମୟରୁ ଦ୍ୱିପ୍ରହର ୨ଟା ଯାଏଁ ଅତ୍ୟାବଶ୍ୟକ ସମାଗ୍ରୀ ବ୍ୟବସାୟ ତେଜରାତି, ମାଛ ମାଂସ, ଅଣ୍ଡା, କ୍ଷୀର, କୃଷି ଉପକରଣ, ସାର, ଘର ନିର୍ମାଣ ସାମଗ୍ରୀ ଦୋକାନ ଖୋଲି ପାରିବେ ବୋଲି କୁହାଯାଇଛି। ତେବେ ଔଷଧ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରକ ଓ ପା‌ଥୋଲୋଜି ଗୁଡ଼ିକ ୨୪ଘଣ୍ଟା ଖୋଲି ପାରିବେ।

ଅପରପକ୍ଷେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ପ୍ରତିଶତରୁ କମ କର୍ମଚାରୀ ଓ ୱାର୍କ ଫ୍ରମ ହୋମ ବ୍ୟବସ୍ଥାରେ କାର୍ଯ୍ୟ କରିବେ। ସରକାରୀ ଅଫିସଗୁଡିକରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟରେ ଅସୁଠୁବ ବ୍ୟକ୍ତିଙ୍କୁ ବାଦ ଦେଇ ସର୍ବସାଧାରଣର ପ୍ରବେଶ କଟକଣା ଲଗାଯାଇଛି। ସେହିପରି ଡାକଘର, ସମବାୟ ଓ ଅନ୍ୟ ବ୍ୟାଙ୍କିଂ ସେବା ଓ ବୀମା ସେବା, କିଓସ୍କ ବ୍ୟାଙ୍କିଙ୍ଗ କେବଳ କୃଷି ବୀମା କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଧେଶ ରହିଛି।

ସେହିପରି ଦ୍ବିପ୍ରହର ୨ଟାରୁ ପର ଦିନ ସକାଳ ୭ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜିଲ୍ଲା ସଟ୍‌ଡାଉନ୍‌ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାକୁ ବାଦ ଦେଇ ସାଧାରଣଙ୍କ ଯାତାୟାତରେ ସମ୍ପୂର୍ଣ୍ଣ କଟକଣା ଜାରି କରଯାଇଛି। ଆଇନ ଉଲଂଘନ କଲେ ଗାଡି ଜବତ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ସୂଚାଇ ଦିଆଯାଇଛି। ହୋଟେଲରେ ରାତି ୮ଟା ଯାଏଁ କେବଳ ମିଲ ପାର୍ସଲ ଦେଇପାରିବେ। ଜାତୀୟ ରାଜପଥସ୍ତିତ ଢ଼ାବା ପାରସଲ ଦେବେ ଗାଡି ମରାମତି ଓ ଉପରଣ ଦୋକାନକୁ ଅନୁମତି। ସେହିପରି ଆସନ୍ତା ୭ତାରିଖରୁ ୯ତାରିଖ ଯାଏଁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଅବଧିରେ ତିନି ଦିନ ଧରି ଜିଲ୍ଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ରଖାଯିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଘୋଷଣା କରିଛନ୍ତି।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର ସବୁ ସଂପୂର୍ଣ୍ଣ ବନ୍ଦ ରଖାଯିବ। ତେବେ ଔଷଧ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରକ ଓ ପା‌ଥୋଲୋଜି ଗୁଡ଼ିକ ୨୪ଘଣ୍ଟା ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଥାନା, ଡାକ୍ତରଖାନା, ଆରଆଇ, ତହସିଲ, ବ୍ଲକ କାର୍ଯ୍ୟାଳୟ, ବୌଦ୍ଧଗଡ଼ ଏନଏସି, କୃଷି କାର୍ଯ୍ୟାଳୟ ସମେତ ଜରୁରୀ ସେବାକାରୀ ଟେଲିକମ, ବିଦ୍ୟୁତ ଜଳଯୋଗାଣ ପ୍ରମୁଖ କାର୍ଯ୍ୟ କରିବେ। ଜିଲ୍ଲାବ୍ୟାପି ତିନି ଦିନ କଟକଣା ବଳବତ୍ତର ରହିବ। ତେବେ ସଟ୍‌ଡାଉନ୍‌ ଅବଧିରେ କୃଷି କାର୍ଯ୍ୟକୁ ଅନୁମତି ଦିଆଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରେସ୍‌ ବିବୃତ୍ତିରେ ଜଣାଯାଇଛି।

ସମ୍ବନ୍ଧିତ ଖବର