ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଜିଲ୍ଲା ବ୍ୟାପି ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର। ରବିବାର ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ୨୭ ତାରିଖ ସୋମବାର ଓ ୨୮ ତାରିଖ ମଙ୍ଗଳବାର ଦୁଇ ଦିନ ଧରି ଜିଲ୍ଲାବ୍ୟାପି ପ୍ରଥମ ସଟ୍ଡାଉନ୍ ଓ ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଟ୍ଡାଉନ୍ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ସଟ୍ଡାଉନ୍ ଆଂଶିକ ରହିବ। ଏହି ଅବଧିରେ ପୂର୍ବଭଳି ଡାକ୍ତରଖାନା, ପୁଲିସ୍ ଥାନା ଓ ଡାକଘର, ବ୍ୟାଙ୍କିଂ ସେବାକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ। ବ୍ୟାଙ୍କ ଓ ଡାକଘର ସକାଳ ୮ଟା ସମୟରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଅତ୍ୟାବଶ୍ୟକ ସମାଗ୍ରୀ ବ୍ୟବସାୟ ତେଜରାତି, ମାଛ ମାଂସ, ଅଣ୍ଡା, କ୍ଷୀର, କୃଷି ଉପକରଣ, ସାର, ଘର ନିର୍ମାଣ ସାମଗ୍ରୀ ଦୋକାନ ସକାଳ ୭ଟା ସମୟରୁ କେବଳ ଦିନ ୨ଟା ପର୍ଯ୍ୟନ୍ତ ଖୋଲି ପାରିବେ ବୋଲି କୁହାଯାଇଛି। ତେବେ ଔଷଧ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରକ ଓ ପାଥୋଲୋଜି ଗୁଡ଼ିକ ୨୪ଘଣ୍ଟା ଖୋଲି ପାରିବେ।
ତେବେ ଦ୍ବିପ୍ରହର ୨ଟାରୁ ପର ଦିନ ସକାଳ ୭ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜିଲ୍ଲା ସଟ୍ଡାଉନ୍ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ଆସନ୍ତା ୨୯ତାରିଖରୁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ସଟ୍ଡାଉନ୍ ଅବଧିରେ ଡାକ୍ତରଖାନା ଓ ପୁଲିସ୍ ଥାନାକୁ ବାଦ ଦେଇ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର ସବୁ ସଂପୂର୍ଣ୍ଣ ବନ୍ଦ ରଖାଯିବ। ତେବେ ଔଷଧ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରକ ଓ ପାଥୋଲୋଜି ଗୁଡ଼ିକ ୨୪ଘଣ୍ଟା ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କ୍ଷୀର ଷ୍ଟଲ୍ ଓ ବିତରକଙ୍କୁ ସକାଳ ୭ଟାରୁ ୧୦ଯାଏଁ ଅନୁମତି ଦିଆଯାଇଛି। ଏହି ତିନି ଦିନ ଧରି ଜିଲ୍ଲାବ୍ୟାପି ସଂପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶିଶିର ସାହୁ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/2f20e2e3-e583-44af-beff-b6e7e73ff9bc.jpg)