ବୌଦ୍ଧ: ଦୀର୍ଘ ବର୍ଷରୁ ଅବହେଳିତ ହୋଇ ରହିଥିବା ବୌଦ୍ଧ ଜଗନ୍ନାଥ ମନ୍ଦିରର ରୂପରେଖ ବଦଳିବ। ମନ୍ଦିରର ପାରିପାର୍ଶ୍ବିକ ସ୍ଥିତିର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର କୋଟିଏ ଟଙ୍କାର ଅନୁଦାନ ଦେବା ପରେ ମନ୍ଦିର ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଏଥି ସହିତ ମୁଖ୍ୟ ମନ୍ଦିରରେ ସୃଷ୍ଟି ହୋଇଥିବା ଫାଟର ମରାମତି ନେଇ ଆଶା ସଞ୍ଚାର ହୋଇଛି। ବୌଦ୍ଧ ଜଗନ୍ନାଥ ମନ୍ଦିର ଓ ରଥଯାତ୍ରାର ସ୍ବତନ୍ତ୍ରତା ରହିଛି। ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜା ପାଉଛନ୍ତି। ଠାକୁରଙ୍କ ବିଗ୍ରହ ପୁରୀ ଜଗନ୍ନାଥ ମନ୍ଦିରର ଯାହା ନୀତିକାନ୍ତି ରହିଛି ସେହି ନୀତିକାନ୍ତିକୁ ଏଠାରେ ପାଳନ କରାଯାଏ। ମନ୍ଦିରର ବିଗ୍ରହ ଓ ରଥାଯାତ୍ରାର ସ୍ବତନ୍ତ୍ରତା ରହିଛି। ବିଗ୍ରହ ଚନ୍ଦନ କାଠରେ ନିର୍ମିତ।
ରଥର ସ୍ବତନ୍ତ୍ରତା ହେଲା ଏଠାକାର ରଥ ଏକକ, ଅଭଙ୍ଗା ଓ ଘୂର୍ଣ୍ଣୟମାନ। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୁଅନ୍ତି। ରଥ ଭଙ୍ଗା ଯାଏ ନାହିଁ। କେବଳ ମରାମତି ହୁଏ। ରଥର ମଧ୍ୟ ଭାଗରେ ଘୂରିବା ବ୍ୟବସ୍ଥା ରହିଛି। ରଥର ଉପରିଭାଗକୁ ବୁଲାଇ ଦିଗ ପରିବର୍ତ୍ତନ କରିହୁଏ। କୋଲକାତାର ବଢ଼େଇ ଏହାକୁ ନିର୍ମାଣ କରିଥିଲେ। ବହୁ ବର୍ଷ ହେଲା ମନ୍ଦିରର ପାରିପାର୍ଶ୍ବିକ ସ୍ଥିତିର ଉନ୍ନତି ହୋଇ ପାରି ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ଦେଇଥିବା ଏକ କୋଟି ଅନୁଦାନରେ ଠାକୁରଙ୍କ ଏକ ଭୋଗ ମଣ୍ଡପ ଓ ସ୍ନାନ ମଣ୍ଡପ ସହ ଶ୍ରୀଗଣେଶ, ନୃସିଂହଦେବ, କାଶି ବିଶ୍ବନାଥ ଆଦି ତିନୋଟି ପାର୍ଶ୍ବଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ବଡ଼ ମନ୍ଦିର ମଧ୍ୟରେ ନବଗ୍ରହ ମନ୍ଦିର, ବିମଳାଙ୍କ ମନ୍ଦିର ଓ ଭାଙ୍ଗି ଯାଇଥିବା ଲକ୍ଷ୍ମୀ ମନ୍ଦିର ସ୍ଥାନରେ ନୂତନ ମନ୍ଦିର ଯୋଜନା କରାଯାଇଛି। ମୁଖ୍ୟ ମନ୍ଦିରରେ ସୃଷ୍ଟି ହୋଇଥିବା ଫାଟର ମରାମତି କରାଯିବ। ମୁଖ୍ୟ ମନ୍ଦିରର ମରାମତି ଆଇଏସଆଇ କରିବ। ଏଥିପାଇଁ ଜିଲ୍ଲା ଦେବୋତ୍ତର ବିଭାଗ ଆଇଏସଆଇକୁ ଚିଠି ଲେଖିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁସାରେ ଗଜପତି ରାଜାଙ୍କ ପରିବାର ସହ ବୌଦ୍ଧ ରାଜ ପରିବାରର ବୈବାହିକ ସଂପର୍କ ସ୍ଥାପନ ହେବା ପରେ ପଞ୍ଚଦଶ ଶିତାବ୍ଦୀରେ ଜଗନ୍ନାଥ ସଂସ୍କୃତି ଆରମ୍ଭ ହୋଇଥିଲା। ବୌଦ୍ଧ ରାଜ ବଂଶାବଳୀର ତଥ୍ୟା ଅନୁସାରେ ଚନ୍ଦ୍ର ଶେଖର ଦେବଙ୍କ ରାଜତ୍ବ କାଳ ଶ୍ରୀଜଗନ୍ନାଥ ପୂଜା ମଣ୍ଡପ ଥିବା ସୂଚନା ମିଳେ। ପରବର୍ତ୍ତୀ ସମୟରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଯୋଗୀନ୍ଦ୍ର ଦେବ ସମୟରେ ମନ୍ଦିର ସଂପୂର୍ଣ୍ଣ ହୋଇଥିଲା।