ବୌଦ୍ଧ: ୫୭ନମ୍ବର ଜାତୀୟ ରାଜପଥ ମହାନଦୀ ବ୍ରିଜଛକ ନିକଟସ୍ଥ ଜଣେ ବ୍ୟକ୍ତିଙ୍କର ଘର କୂଅ ସଫା କରୁଥିବା ବେଳେ ଦୁଇ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ମୃତ ଦୁଇ ବ୍ୟକ୍ତି ବୌଦ୍ଧ ଟୁଟୁସିଙ୍ଗା ଗ୍ରାମର ପ୍ରଫୁଲ୍ଲ ସାହୁ ଓ ନିରଞ୍ଜନ ଭୋଇ ବୋଲି ଜଣାଯାଇଛି। ଉଭୟ ବ୍ରିଜ ଛକ ନିକଟସ୍ଥ ଏକ ନୂଆ ଘରରେ ରଙ୍ଗ ମାରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Advertisment

ଘର ମାଲିକ ସ୍ଥାନୀୟ ଅଞ୍ଚଳର ବ୍ରଜ କିଶୋର ବିଶି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘର ମାଲିକଙ୍କ ଅନୁରୋଧ କ୍ରମେ ତାଙ୍କ କୂଅ ସଫା କରିବାକୁ ଦୁହେଁ ପଶିଥିଲେ। କୂଅ ଭିତରେ ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ।

publive-image DNA India

ଗୁରୁତର ବ୍ୟକ୍ତିଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୌଦ୍ଧ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଘର ମାଲିକଙ୍କୁ ଅଟକ ରଖିଥିବାବେଳେ ଅଗ୍ନିଶମ ବିଭାଗ ପହଞ୍ଚି କୂଅରୁ ଦୁଇ ମୃତ ଶ୍ରମିକଙ୍କ ଶବ ଉଦ୍ଧାର କରିଛନ୍ତି। ବୌଦ୍ଧ ଥାନାଧିକାରୀ ତପସ୍ୱିନୀ କହଁର ଘଟଣାସ୍ଥଳରେ ଉପସ୍ଥିତ ରହି ଅଧିକ ତଦନ୍ତ ଜାରି ରଖିଛନ୍ତି।