ବାରହା ମାଂସ ଜବତ, ଶିକାରୀ ବାପ-ପୁଅ ଗିରଫ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାନଛପାପାଲି ଗାଁରେ ବାରହା ଶିକାର କରିଥିବା ଅଭିଯୋଗରେ ଶିକାରୀ ହରିଶ୍ଚନ୍ଦ୍ର ଦେହୁରୀ (୬୨ବର୍ଷ) ଏବଂ ତାଙ୍କ ପୁଅ ଶ୍ରୀଧାରୀ ଦେହୁରୀ (୧୯ବର୍ଷ)ଙ୍କୁ ବନ ବିଭାଗ ଗିରଫ କରିଛି। ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନଙ୍କ ସୂଚନା ଅନୁସାରେ, ସାନଛପାପାଲି ଗ୍ରାମର ହରିଶ୍ଚନ୍ଦ୍ର ଓ ତାଙ୍କ ପୁଅ ଶ୍ରୀଧାରୀ ସାନଛପାପାଲି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରୁଥିବାର ବହୁଦିନରୁ ଅଭିଯୋଗ ହୋଇଆସୁଥିଲା।

ରବିବାର ଏହି ବାପ-ପୁଅ ବନ୍ୟପ୍ରାଣୀ ଶିକାର କରିଥିବା ଖବର ପାଇ ବନ ବିଭାଗର ଏକ ଟିମ୍ ହରିଶ୍ଚନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ସାଢ଼େ ୫କେଜି ବାରହା ମାଂସ ଜବତ କରିଥିଲା। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତ ବାପ-ପୁଅଙ୍କୁ କୋର୍ଟ ଚାଲାଣ କରିଥିଲା ବୋଲି କଣ୍ଟାମାଳ ଫରେଷ୍ଟର ପ୍ରକାଶ ସେଠୀ କହିଛନ୍ତି।

ଏହି ଚଢ଼ାଉରେ ରେଞ୍ଜ ଅଧିକାରୀଙ୍କ ସହିତ କଣ୍ଟାମାଳ ଫରେଷ୍ଟର, ଏସିଏଫ୍ ରାଜେନ୍ଦ୍ର ଗୋଛାୟତ, ଜିତେନ୍ଦ୍ର ବେହେରା, ନାରାୟଣ ପ୍ରସାଦ ଫରେଷ୍ଟର ରମାକାନ୍ତ କଅଁର ଏବଂ ଗାର୍ଡ ମାଳତି ମାଝୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର