ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ଭାଟବାହାଲି ଗ୍ରାମର ରମେଶ ମନହିରା ନାମକ ଏକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନାରେ ଏତଲା ଦିଆଯାଇଛି। ଏହି ଘଟଣାକୁ ନେଇ ପ୍ରତିପକ୍ଷ ମଧ୍ୟ ଥାନାରେ ଅଭିଯୋଗ କରିଥିବାରୁ ପୁଲିସ ରବିବାର ସନ୍ଧ୍ୟାରେ ଭାଟବାହାଲି ଗ୍ରାମକୁ ଯାଇ ତଦନ୍ତ କରୁଥିବା ପ୍ରକାଶ। ଭାଟବାହାଲି ଗ୍ରାମର ରାଧେଶ୍ୟାମ ମନହିରା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ତାଙ୍କ ଭାଇ ରମେଶ ତମାମୁରାରୁ ଆଜି ଫେରୁଥିବା ବେଳେ ଅଧା ବାଟରେ ତମାମୁରା ଗ୍ରାମର ବାମଦେବ ହୋତା ଏବଂ ତାଙ୍କ ଦୁଇ ପୁଅ ପ୍ରମୋଦ ଓ ପରିତୋଷଙ୍କ ସହ ଶିବ ଭୋଇ ହାତରେ କାଠ ଫାଳିଆ, ବାଡ଼ି ଓ ଟାଙ୍ଗିଆ ଧରି ଅଶ୍ଳିଳ ଭାଷାରେ ଗାଳି କରି ଆକ୍ରମଣ କରିଥିଲେ।
ଆକ୍ରମଣ ପରେ ରମେଶର ମୁଣ୍ଡରେ ଗଭୀର ଆଘାତ ହେବା ସହ ଘଟଣା ସ୍ଥଳରେ ବେହୋସ ହୋଇ ପଡ଼ିବାରୁ ଶ୍ୟାମ ସେଠୀ ଓ ମିଲୁ ନାଏକ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଅନ୍ୟ ପକ୍ଷରେ ଭଗବାନ ହୋତାଙ୍କ ପୁଅ ପ୍ରମୋଦ ହୋତା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ଭାଟବାହାଲି ଗ୍ରାମ ମୁଣ୍ଡରେ ନିଜ ଜମି ଜଗିବା ପାଇଁ ଏକ ଝୁପୁଡ଼ି କରି ରହୁଥିବା ବେଳେ ପ୍ରତିଦିନ ସୁରେଶ ଓ କାଲିଆ ତାଙ୍କୁ ହୁଡ଼ାକୁଦା କରୁଥିଲେ। ଆଜି ଉଭୟେ ଅତ୍ୟଧିକ ମଦ୍ୟପାନ କରି ତାଙ୍କ ବାପାଙ୍କୁ ମାଡ଼ ମାରିଥିବା ପ୍ରମୋଦ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଉଭୟଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଚଲାଇଥିବା ପ୍ରକାଶ।