ବୌଦ୍ଧ ଜିଲ୍ଲାର ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ଅନୁଧ୍ୟାନ

ସମ୍ବଲପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୁଡ଼ା ପଞ୍ଚାୟତର ଝିଙ୍କେରପାଲି ଗ୍ରାମରେ ଆତ୍ମପ୍ରକାଶ କରିଥିବା ଏକ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ ସ୍ଥଳକୁ ବିଶିଷ୍ଟ ଐତିହାସିକ ଡ. ଦଧିବାବନ ମିଶ୍ର, ଶଶାଙ୍କ ପଣ୍ଡା ତଥା ଯୁବ ଐତିହାସିକ ଦୀପକ କୁମାର ପଣ୍ଡା ଏବଂ ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର ପରିଦର୍ଶନ କରିଛନ୍ତି। ଭଗ୍ନାବଶେଷ ମଧ୍ୟରେ ଏକ ପ୍ରସ୍ତର ସ୍ତମ୍ଭର କିୟଦଂଶରେ ଥିିବା ପ୍ରାଚୀନ ଶିଳାଲେଖର ପ୍ରତିଲିପି ସଂଗ୍ରହ କରିଛନ୍ତି। ଖୁବଶିଘ୍ର ଏହାର ପଠନୋଦ୍ଧାର ହେବ ବୋଲି ପରିଦର୍ଶନକାରୀ ଐତିହାସିକ ଦଳ କହିଛନ୍ତି। ଏଥିସହିତ ସ୍ଥାନଟିର ଐତିହାସିକ ଖନନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ଶୀଘ୍ର ଅନୁରୋଧ ପତ୍ର ପଠାଇବା ନିମନ୍ତେ ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି।

ତେଲ ନଦୀଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଏକ ମାଟିସ୍ତୁପ ରହିଛି। ଏହି ସ୍ତୁପରେ କେତୋଟି ଗଛ ଥିବା ବେଳେ ତା’ତଳେ ବହୁଦିନଠାରୁ ଲୋକେ ଦୁଇଟି ପ୍ରାଚୀନ ଖମ୍ଭର ତଳଅଂଶରେ ସିନ୍ଦୁର ଦେଇ ପୂଜାକରି ଆସୁଥିଲେ। ୧୮ ଡିସିମିଲ ପରିମିତ ସ୍ଥାନ ଗ୍ରାମଦେବୀଙ୍କ ନାମରେ ରେକର୍ଡ଼ରେ ରହିଛି। ଗତ ଜୁଲାଇ ମାସ ୭ ତାରିଖରେ ଜଣେ ଚାଷୀ ଏହା ପାଖରେ ଥିବା ତାଙ୍କ ଚାଷ ଜମିକୁ ସମତଳ କରିବା ପାଇଁ ଜେସିବି ସାହାଯ୍ୟରେ ଖୋଳାଉଥିବା ବେଳେ ଏକ ପ୍ରାଚୀନ ମନ୍ଦିରର କିଛି ଅଂଶ ଦେଖାଯାଇଥିଲା। ଗଛଥିବା ସ୍ଥାନରୁ ପ୍ରାୟ ୨୦ ମିଟର ବ୍ୟାସାର୍ଦ୍ଧରେ ପଥର ଖୁଣ୍ଟଗୁଡ଼ିକ ମିଳୁଛି। ତେଣୁ ପ୍ରାଚୀନ ମନ୍ଦିର ଆକାରରେ ବଡ଼ ଥିବାର ସୂଚନା ମିଳୁଛି। ପରିଦର୍ଶନକାରୀ ଐତିହାସିକମାନେ ଏହାକୁ ସୋମବଂଶୀ କୀର୍ତ୍ତି ବୋଲି କହିଥିବା ବେଳେ ଶିଳାଲେଖକୁ ନାଗରୀ ଲିପିର ବୋଲି କହିଛନ୍ତି। ଶିଳାଲେଖ ଯେଉଁ ପଥରରେ ରହିଛି, ତାହା ଏକ ଅଂଶ ମାତ୍ର। ଏହାର ଅବଶିଷ୍ଟାଂଶ ମାଟି ଭିତରେ ଥିବାର ଅନୁମାନ କରାଯାଉଛି। ଖନନ ଦ୍ୱାରା ସୋମବଂଶୀ ଶାସନର ଆଉ କୌଣସି ଅଜଣା ଅଧ୍ୟାୟକୁ ଉନ୍ମୋଚନ କରାଯାଇ ପାରେ ବୋଲି ଡ. ମିଶ୍ର ଓ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର