ବୌଦ୍ଧ: ହେଲା ନାହିଁ ଜିଲ୍ଲା ପରିଷଦ ବୈଠକ: ଆସିଲେନି ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ, ଅଧେ ବିଜେଡି ସଭ୍ୟ

ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀ କନ୍ଦଳ!

ବୌଦ୍ଧ: ବୌଦ୍ଧ ଜିଲ୍ଲା ପରିଷଦ ବୈଠକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଲା। ବୌଦ୍ଧ ଜିଲ୍ଲା ପରିଷଦରେ ୯ଟି ଜୋନରୁ ୬ଟି ଜୋନରେ ବିଜେଡି ସଭ୍ୟ ଅଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପଧ୍ୟକ୍ଷ ବିଜେଡି ଦଳର ଅଛନ୍ତି। ମାତ୍ର ଆଜିର ବୈଠକରେ କେବଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଉପାଧ୍ୟକ୍ଷ ଅକ୍ରୂର ସେଠୀ ଓ ସସ୍ମିତା ମଲ୍ଲିକ ଉପସ୍ଥିତ ଥିଲେ। ମାତ୍ର ଦଳର ଆଉ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ଅନୁପସ୍ଥିତ ଥିଲେ। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ମଧ୍ୟ ଅନୁପସ୍ଥିତ ଥିଲେ। ଶୁକ୍ରବାର ଦିନ ସାଢ଼େ ଦଶଟାରେ ଜିଲ୍ଲା ପରିଷଦ ବୈଠକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହି ଅନୁସାରେ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ଅମାତ, ସସ୍ମିତା ପାତ୍ର ଓ ସିପିଆଇର ଅବକାଶ ସାହୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଞ୍ଚାୟତ ଭବନରେ ଉପସ୍ଥିତ ହୋଇଥିଲେ।

ଏପରିକି କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ, ବୌଦ୍ଧ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ମାତ୍ର ଦିନ ବାରଟା ପର୍ଯ୍ୟନ୍ତ ସମିଳନୀ କକ୍ଷରେ ଜଣେ ହେଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ କିମ୍ବା ଅଧ୍ୟକ୍ଷ ପହଞ୍ଚି ନଥିଲେ। ସମ୍ମିଳନୀ କକ୍ଷକୁ ଲାଗି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଚାମ୍ବରରେ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଉପାଧ୍ୟକ୍ଷ ଅକ୍ରୂର ସେଠୀ ଓ ସଭ୍ୟ ସସ୍ମିତା ମଲ୍ଲିକ ବସିଥିବା ଦେଖା ଯାଇଥିଲା। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ୩ଜଣ ଜିଲ୍ଲା ପରିଷଦ ସଭ୍ୟ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ ମଧ୍ୟ ଅଧ୍ୟକ୍ଷା ସମ୍ମିଳନୀ କକ୍ଷକୁ ଯାଇନଥିଲେ। ଦୁଇଘଣ୍ଟା କାଳ ସମସ୍ତେ ଅପେକ୍ଷା କରିବା ପରେ ୯ ନମ୍ବର ଜୋନର ସଭ୍ୟ ଶ୍ରୀ ସାହୁ କାହିିଁକ ବୈଠକ ଆରମ୍ଭ କରାଯାଉ ନାହିଁ ଓ ଅଧ୍ୟକ୍ଷ କାହିିଁକି ଆସୁ ନାହାନ୍ତି ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର କିଛି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ସାହୁ , ଶ୍ରୀ ଅମାତ ଓ ସସ୍ମିତା ପାତ୍ର ସମ୍ମିଳନୀ କକ୍ଷ ବାହାରକୁ ଆସି ବିଜେଡି ଦଳ ବିରୋଧରେ ସ୍ଳୋଗାନ ଦେଇ ଧାରଣାରେ ବସିଥିଲେ।

ତିନିଜଣ ଅଣ ବିଜେଡି ସଭ୍ୟ ଧାରଣାରେ ବସିଲା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସମ୍ମିଳନୀ କକ୍ଷକୁ ଯାଇ ବୈଠକ ବାତିଲ ହେଲା ବୋଲି କହିଥିଲେ। ଆଜିର ବୈଠକରେ ଜିଲ୍ଲାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ସଂପର୍କରେ ଆଲୋଚନା ହେବାର ଥିଲା। ଜିଲ୍ଲାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପଞ୍ଚାୟତ ସ୍ତରରୁ ଜିଲ୍ଲା ପରିଷଦ ଯାଏଁ ସଭିଙ୍କର ଅସନ୍ତୋଷ ରହିଛି। କମିଟିର ଅଧ୍ୟକ୍ଷ ଶ୍ରୀ ରଣା ନିଜ ଇଛା ଅନୁସାରେ ଗୃହ ଆବଣ୍ଟନ କରିଥିବା ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ନେଇ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖା ଦେଲାଣି। ବିଧାୟକ ଶ୍ରୀ ରଣା କାହାରିକୁ କିଛି ନପଚାରି ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମନସ୍ଥ କରିଥିବା ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଅଭିଯୋଗ କରୁଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆଜି ତରବରିଆ ଭାବେ ୨୦୧୭-୧୮ର ଗୋପବନ୍ଧୁ ଗ୍ରାମୀଣ ଯୋଜନାକୁ ମଂଜୁର କରାଇ ନେବା ପାଇଁ ବୈଠକ ଡାକିଥିବା କିଛି ସଭ୍ୟ ଅଭିଯୋଗ କରିଛନ୍ତି। ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଲାଗିଥିବାରୁ ଏହି ଯୋଜନାକୁ ନେଇ ଛକାପଞ୍ଝା ସ୍ଥିତି ଲାଗି ରହିଛି। ଏମିତିରେ ଗତ ଛଅ ମାସ ହେଲା ଜିଲ୍ଲା ପରିଷଦ ବୈଠକ ବସିନଥିଲା। ମାତ୍ର ଆଜି ଜାଣିଶୁଣି ବିଜେଡି ସଭ୍ୟ ମାନେ ବୈଠକକୁ ବାତିଲ କରିଦେଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଏ ବିଷୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ କୋରମ ଅଭାବରୁ ବୈଠକକୁ ବାତିଲ କରାଗଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରଣାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜିଲ୍ଲା ପରିଷଦ ବୈଠକ ଡାକିବା ପାଇଁ ମୋର ସମ୍ମତି ନିଆଯାଇନଥିଲା। ଗୁରୁବାର ସଂଧ୍ୟାରେ ଏକ ପତ୍ର ମୋ ପାଖରେ ପହଁଚିଥିଲା। ମୋର ପୁଅ ଓ ଝିଅର ବାହାଘର ଥିବାରୁ ମୁଁ ବ୍ୟସ୍ତ ଥିବାରୁ ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇ ପାରିଲି ନାହିଁ ବୋଲି କହିଥିଲେ। ନିଜ ନିଜ ଭିତରେ ଗୋଷ୍ଠୀ କନ୍ଦଳ କରି ବୈଠକ ବାତିଲ କରାଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର