ବୌଦ୍ଧ: କେନ୍ଦ୍ର ସରକାରଙ୍କ ଜାତୀୟ ଉଜାଲା ଏଲ୍ଇଡି ଯୋଜନାରୁ ବଂଚିତ ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ। ବିଦ୍ୟୁତ ଶକ୍ତିର ସଂରକ୍ଷଣ ପ୍ରାଥମିକ ଲକ୍ଷ୍ୟରେ ୨୦୧୫ରେ ପ୍ରଧାନମନ୍ତ୍ରୀ ଉଜାଲା ଏଲ୍ଇଡି ଯୋଜନାର ଆରମ୍ଭ କରିଥିଲେ। ଇତିମଧ୍ୟରେ ଯୋଜନାକୁ ୩ ବର୍ଷ ପୁରି ସାରିଥିବା ବେଳେ ଏବେବି ବୌଦ୍ଧ ଜିଲ୍ଲାବାସୀ ଏଥିରୁ ବଂଚିତ ହେଉଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ଏନର୍ଜି ଏଫିସିଏନସି ସର୍ଭିିସ ଲିମିଟେଡ୍(ଇଇସିଏଲ୍) ଦ୍ଵାରା ପରିଚାଳିତ ଏହି ଯୋଜନାରେ ରିହାତି ମୂଲ୍ୟରେ ଲୋକଙ୍କୁ ଏଲଇଡି ବଲ୍ବ, ଟ୍ୟୁବ୍ ଲାଇଟ୍ ଓ ପଙ୍ଖା ଯୋଗାଇ ଦେବାର ବ୍ୟବସ୍ଥା ରଖାଯାଇଛି। ମାତ୍ର ଜିଲ୍ଳାବାସୀଙ୍କୁ ରିହାତିରେ ଏଲ୍ଇଡି ବଲ୍ବ ଯୋଗାଇବାକୁ ଦାୟିତ୍ଵ ନେଇଥିବା ସଂସ୍ଥାର ଦେଖା ନାହିଁ। ପ୍ରାରମ୍ଭ ପର୍ଯ୍ୟାୟରେ ଠିକ୍ଠାକ୍ ଚାଲିଥିବା ବେଳେ ପରବର୍ତ୍ତିି ସମୟରେ କାଁ ଭାଁ ବିଦ୍ୟୁତ କାର୍ଯ୍ୟାଳୟରେ କ୍ୟାମ୍ପ ଲଗାଇ କେବଳ ଏଲ୍ଇଡି ବଲ୍ବ ବିକ୍ରି କରାଯାଉଥିଲା। ବର୍ତ୍ତମାନ କିଛି ମାସ ହେବ ତାହା ମଧ୍ୟ ଉକ୍ତ ସଂସ୍ଥା ବନ୍ଦ କରିଦେଇଥିବା ଜଣାପଡ଼ିଛି। ଫଳରେ ଲୋକେ ଏଲଇଡି ବଲ୍ବ କିଣି ପାରୁ ନାହାନ୍ତି କିମ୍ବା ଫ୍ୟୁଜ୍ ବଲ୍ବ ଫେରାଇ ପାରୁ ନାହାନ୍ତି। ଏଲ୍ଇଡି ଟ୍ୟୁବ୍ ଲାଇଟ୍ ଓ ପଙ୍ଖା ଲୋକେ ଦେଖିବାକୁ ବି ପାଇ ନାହାନ୍ତି। କେବଳ ବୌଦ୍ଧ ଏନ୍ଏସି ସମେତ କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ମଧ୍ୟ ଲୋକେ ସରକାରଙ୍କ ଉଜାଳା ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ ମାତ୍ର ୨୮ହଜାର ଏଲ୍ଇଡି ବଲ୍ବ ବିତରଣ ହୋଇଥିବା ଇଇସିଏଲ୍ରୁ ହସ୍ତଗତ ତଥ୍ୟ ଜଣାପଡ଼ିଛି। ଫଳରେ ଲୋକେ ଆଜି ମଧ୍ୟ ସାଧାରଣ ୧୦୦ ଓ୍ଵାଟର ବଲବ୍ ବ୍ୟବହାର କରୁଛନ୍ତି। ଯାହା ଦ୍ଵାରା କେନ୍ଦ୍ର ସରକାରଙ୍କ ବିଦ୍ୟୁତ ଶକ୍ତି ସଂରକ୍ଷଣ ଲକ୍ଷ୍ୟ ଜିଲ୍ଲା ବ୍ୟାପି ବାଧାପ୍ରାପ୍ତ ହେଉଥିବା ଦେଖାଯାଉଛି ଏବଂ ଲୋକେ ମଧ୍ୟ ଅଧିକ ବିଦ୍ୟୁତ ବିଲ୍ ପଇଠ କରି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସରକାରୀ ରହାତି ମୂଲ୍ୟରେ ମିଳି ନଥିବାରୁ ଘରୋଇ ଦୋକାନରୁ ଅଧିକ ଦାମ ଦେଇ ଏଲଇଡି ବଲ୍ବ କିଣୁଛନ୍ତି। ପ୍ରକାଶ ଯେ, କେନ୍ଦ୍ରସରକାରଙ୍କ ଉଜାଲା ଯୋଜନାରେ ଇଇସିଏଲ୍ ପକ୍ଷରୁ ୯ ଓ୍ଵାଟର ଏଲ୍ଇଡି ବଲ୍ବର ରିହାତି ମୂଲ୍ୟ ୭୦ଟଙ୍କା, ୨୦ ଓ୍ଵାଟର ଟ୍ୟୁବ୍ ଲାଇଟ୍ର ମୂଲ୍ୟ ୨୩୦ ଟଙ୍କା ଓ ପଙ୍ଖାର ମୂଲ୍ୟ ୧୧୫୦ ଟଙ୍କା ଧାର୍ଯ୍ୟ ରହିଛି।
ଆଣ୍ଠେଇଲାଣି ଜାତୀୟ ଉଜାଲା ଯୋଜନା!:ମିଳୁନି ଏଲ୍ଇଡି ବଲ୍ବ; ପଙ୍ଖା, ଟ୍ୟୁବ୍ ଲାଇଟ୍ ସ୍ୱପ୍ନ
/sambad/media/post_attachments/wp-content/uploads/2018/08/baudh2.jpg)