ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ ସପ୍ତାହେ ହେଲା ତାପାମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କାଳ ବୈଶାଖୀର ପ୍ରଭାବରେ କିଛି ଦିନ ତାପମାତ୍ରା ଟିକିଏ କମ୍ ଥିବା ବେଳେ ଗତ ପଣା ସଂକ୍ରାନ୍ତି ଠାରୁ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦିନ ବେଳା ଝାଂଜି ପବନ ମଧ୍ୟ ବହୁଥିବାରୁ ସାଧାରଣ ଜୀବନରେ ଏହାର ପ୍ରଭାବ ପଡିଲାଣି। ବୌଦ୍ଧ ସହରରେ ଗତ ବର୍ଷ ସର୍ବୋଚ୍ଚ ତାପାମତ୍ରା ୪୮ ଡିଗ୍ରି ରେକର୍ଡ କରାଯାଇଥିଲା। ମାତ୍ର ଏହି ତାପାମାତ୍ରା ସରକାରୀ ଭାବେ ଗଣନା କରାଯାଇ ନଥିବାରୁ ସରକାରୀ ରେକର୍ଡଭୁକ୍ତ ହୋଇ ପାରି ନଥିଲା। ଜିଲ୍ଲା ସଦର ମହକୁମାରେ ପାଣିପାଗ ବିଭାଗ ପକ୍ଷରୁ ତାପମାତ୍ରା ମାପକ ଯନ୍ତ୍ର ନଥିବାରୁ ବୌଦ୍ଧରେ ଯେତେ ଅଧିକ ତାପାମାତ୍ରା ବଢ଼ିଲେ ମଧ୍ୟ ତାହା ରେକର୍ଡ କରାଯାଇପାରୁ ନାହିଁ। ତାପମାତ୍ରା ବୃଦ୍ଧି ଘଟିବା ସହିତ ପାନୀୟ ସଂକଟ ମଧ୍ୟ ତୀବ୍ରତର ହେବା ଆଶଙ୍କା ଦେଖା ଦେଲାଣି। ବୌଦ୍ଧ ସହରରେ ପାନୀୟ ଜଳ ଯୋଗାଣ ପାଇଁ ଆଜି ଯାଏଁ ବ୍ୟବସ୍ଥା ହୋଇ ପାରିଲା ନାହିଁ। ଯଦିଓ ଓଭରହେଡ ଟ୍ୟାଙ୍କ କାମ ଦ୍ରୁତ ଗତିରେ ଚାଲିଛି ମାତ୍ର ଚଳିତ ବର୍ଷ ଏହା ଲୋକଙ୍କ କାମରେ ଆସିବ ନାହିଁ। ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ନଥିବାରୁ ଏବର୍ଷ ମଧ୍ୟ ବୌଦ୍ଧ ବାସୀଙ୍କୁ ଜଳ ସଂକଟ ଭୋଗିବାକୁ ପଡିବ।
ମହାନଦୀର ଜଳ ସ୍ରୋତ କମୁଥିବା ଯୋଗୁଁ ପାନୀୟ ସଂକଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ସହର ଏକ ଜିଲ୍ଲା ସଦର ମହକୁମା ହୋଇଥିଲେ ହେଁ ଏଠାରେ ଦୀର୍ଘ ବର୍ଷ ହେଲା ପାଣିପାଗ ମାପକ ଯନ୍ତ୍ର ନାହିଁ। ପଡ଼ୋଶୀ ଜିଲ୍ଲା ସୁବର୍ଣ୍ଣପୁରର ତାପମାତ୍ରାକୁ ଗଣନା କରି ବୌଦ୍ଧ ଜିଲ୍ଲା ତାପମାତ୍ରା ରେକର୍ଡ କରାଯାଉଛି। ମାତ୍ର ବୌଦ୍ଧ ଓ ସୋନପୁର ମଧ୍ୟରେ ତାପମାତ୍ରାରେ ତାରତମ୍ୟ ରହୁଛି। ଯେହେତୁ ବୌଦ୍ଧର ତାପମାତ୍ରା ପ୍ରକାଶ କରାଯାଇ ପାରୁ ନାହିଁ ତେଣୁ ଏଠାରେ ଯେତେ ଡହ ଡହ ତାତି ହେଲେ ମଧ୍ୟ ସରକାର ଜାଣି ପାରୁ ନାହାନ୍ତି କି କିଛି ପ୍ରତିକାର କରାଯାଇ ପାରୁ ନାହିଁ। ମହାନଦୀର ଶୁଖିଲା ବାଲିର ତାତି ସାଙ୍ଗକୁ ଟାଣ ଖରାରେ ଏବେ ବୌଦ୍ଧ ସହର ସନ୍ତାପିତ ହୋଇ ଗଲାଣି।
ଖରାଦିନ ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। ସବୁ ବିଭାଗ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିଜେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଖରାଦିନରେ ସବୁଠୁ ବେଶି ଆବଶ୍ୟକ ରହୁଥିବା ବିଦ୍ୟୁତ ସେବା ରେ କିନ୍ତୁ ସର୍ବାଧିକ ବିଭ୍ରାଟ ଦେଖାଦେଉଛି। ପାୱାର କଟ୍ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଅଘୋଷିତ ଭାବେ ଦିନରେ ଅନେକ ଥର ବିଦ୍ୟୁତ କାଟ୍ ହେଉଛି। ପ୍ରବଳ ଖରା ଯୋଗୁଁ ଅଂଶୁଘାତ ର ମଧ୍ୟ ଭୟ ରହିଛି। ଏପ୍ରିଲ ମାସର ମଧ୍ୟ ଭାଗରୁ ଖରା ଓ ବିଦ୍ୟୁତ୍ ବିଭ୍ରାଟ ଦେଖା ଦେଉଥିବାରୁ ଆଗାମୀ ଦିନରେ ଯେ ଅବସ୍ଥା କିପରି ରହିବ ତାହାକୁ ନେଇ ଏବେଠୁ ଆଶଙ୍କା ଦେଖା ଦେଲାଣି।