ବୌଦ୍ଧ: ବିଜେପିରେ କୁହୁଳୁଛି ଅସନ୍ତୋଷ, ଦ୍ୱନ୍ଦ୍ୱରେ ବିଜେଡି

ବୌଦ୍ଧ(ବାଲାଜୀ ବିଭୁରଂଜନ ତରାସିଆ): ବୌଦ୍ଧ ନିର୍ବାଚନମଣ୍ଡଳୀରେ ଏବେ ରାଜନୀତି ପାଣିପାଗରେ ଧୀରେ ଧୀରେ ଉଷ୍ମତା ପରିଲକ୍ଷିତ ହେଲାଣି। ବୌଦ୍ଧ ଜିଲ୍ଲାରେ ବୌଦ୍ଧ ଓ କଣ୍ଟାମାଳ ୨ଟି ନିର୍ବାଚନମଣ୍ଡଳୀ ଥିଲେ ହେଁ ବୌଦ୍ଧର ନିର୍ବାଚିତ ବିଧାୟକ ହିଁ ଜିଲ୍ଲା ରାଜନୀତିକୁ ନିୟନ୍ତ୍ରଣ କରି ଆସିଛନ୍ତି। ଦୁଇ ଦଶନ୍ଧି ଧରି ବୌଦ୍ଧରେ ବିଜେଡିର ଆଧିପତ୍ୟ ଜାରି ରହିଛି। ପଞ୍ଚାୟତସ୍ତରରୁ ଲୋକସଭା ଯାଏଁ ସବୁଠି ବିଜେଡି ହିଁ ପ୍ରତିନିଧିତ୍ୱ କରୁଛି। ଏକ ନିଷ୍କଣ୍ଟକ ରାଜ୍ୟ ଭୋଗ କରୁଥିବା ବିଜେଡିକୁ ପଞ୍ଚାୟତ ନିର୍ବାଚନରେ ଏକ ଝଟକା ଲାଗିଲା। ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରି ଥର ପ୍ରତିନିଧିତ୍ୱ କରୁଥିବା ପ୍ରଦୀପ ଅମାତଙ୍କୁ ଧକ୍କା ଲାଗିଲା। ତାଙ୍କରି ଗଡ଼ରେ ହିଁ ବିଜେଡି ଛିନ୍ନ ଛତ୍ର ହୋଇ ପ୍ରଥମ ଥର ପାଇଁ ବିଜେପି ଓ ସିପିଆଇ ତାଙ୍କର ଅସ୍ତିତ୍ୱ ଜାହିର କଲେ। ୫ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ୨ଟି ଓ ସିପିଆଇ ୧ଟି ସିଟ୍‌ ହାତେଇ ନେଲା।

ପଞ୍ଚାୟତ ନିର୍ବାଚନ ପରଠୁ ବିଜେପି ଜିଲ୍ଲାରେ ଉତ୍ସାହିତ ହୋଇ ଉଠିଥିବା ବେଳେ ବିଜେଡି କିନ୍ତୁ ହତ୍‌ ବାକ୍‌ ହୋଇଯାଇଛି। ବିଜେପିର ପାତିଆରା ବୃଦ୍ଧିରେ ବିଜେଡି ବିଚଳିତ ହୋଇ ଏବେ ପୁଣି ଥରେ ଗଡ଼ ରକ୍ଷା କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଛି। ବାଚସ୍ପତି ଶ୍ରୀ ଅମାତ ଲୋକ ସଂପର୍କ ବଢ଼ାଇବା ପାଇଁ ନିର୍ବାଚନମଣ୍ଡଳୀର କୋଣ ଅନୁକୋଣକୁ ଦିନ ରାତି ଗସ୍ତ କରୁଛନ୍ତି। ଏବେ ଶ୍ରୀ ଅମାତ୍‌ ତାଙ୍କ ପାଖ ଲୋକଙ୍କୁ ବେଶି ବିଶ୍ୱାସ ନକରି ନିଜେ ସବୁକଥାରେ ମୁଣ୍ଡପୁରାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସାଧାରଣ ଲୋକଙ୍କ ସହିତ ଅଧିକ ଜଡ଼ିତ ହେବା ପାଇଁ ସବୁ ପ୍ରକାର ସୁଯୋଗକୁ ଉପଯୋଗ କରୁଛନ୍ତି। ମାତ୍ର ବିଜେଡି ରେ ଅନ୍ତ କନ୍ଦଳ ମଧ୍ୟ କିଛି କମ୍‌ ନୁହେଁ। ଆଗାମୀ ଦିନରେ ପୌର ନିର୍ବାଚନ ହେବାକୁ ଥିବାରୁ ଏବେଠୁ ଆଶାୟୀ ନେତା ମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି।

ଗୋଟିଏ ଗୋଷ୍ଠୀ ସବୁ ପ୍ରକାର ଫାଇଦା ପାଉଥିବା ଯୋଗୁଁ ଦଳ ଭିତରେ ଏବେ ଅବିଶ୍ୱାସ ର ବାତାବରଣ ଦେଖିବାକୁ ମିଳିଲାଣି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତ୍ସ୍ନା ଭୋଇ ବିଜେଡି ଦଳର ହୋଇଥିଲେ ମଧ୍ୟ ତାଙ୍କୁ ଘେରି ରହିଥିବା ଏକ ଗୋଷ୍ଠୀକୁ ବିଜେଡିର ଦଳେ ଛାମୁଆ ନେତା ଘୋର ବିରୋଧ କରୁଛନ୍ତି। ଶ୍ରୀମତୀ ଭୋଇ ରାଜନୀତିରେ ଅନଭିଜ୍ଞ ଥିବାରୁ ଗୋଷ୍ଠୀ କନ୍ଦଳ ବଢ଼ି ବଢ଼ି ଚାଲିଛି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଗୁଡିକ ପାଇଁ ଆଶାୟୀ ଥିବା ବ୍ୟକ୍ତି ମାନେ ଏବେ ବିଜେଡି ଭିତରେ ଥାଇ ବିଜେଡି ଚେର କାଟିବାରେ ଲାଗିଛନ୍ତି। ତେଣୁ ବିଜେଡି ବାହାରକୁ ସବୁ ଠିକ୍‌ ଠାକ୍‌ ଭଳି ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ଖୋଖଲା ହେବାରେ ଲାଗିଛି। କଂଗ୍ରେସ ଦଳ ପୁରାପୁରି ସୁପ୍ତ ଅବସ୍ଥାରେ ଅଛି।

ଦଳରେ କିଏ ନେତା ଓ କିଏ କର୍ମୀ ତାହା କିଛି ବୁଝା ପଡୁନାହିଁ। ଦଳ ଏକପ୍ରକାର ଅସହାୟ ଅବସ୍ଥାରେ ରହିଛି। ପଞ୍ଚାୟତ ନିର୍ବାଚନରେ ଆଂଶିକ ସଫଳତା ପାଇ ବିଜେପି ଖୁବ୍‌ ଉଲ୍ଲସିତ ହୋଇପଡ଼ିଥିଲା। ରାତାରାତି ବିଧାୟକ ହେବା ପାଇଁ ସବୁ ନେତା ସ୍ୱପ୍ନ ଦେଖିଥିଲେ। ବିଜେପି ଦଳରେ କର୍ମୀ ଖୋଜିବା ବେଳେ ମିଳୁନଥିବା ବେଳେ ଜିଲ୍ଲାପରିଷଦ ଜୋନରେ ବିଜୟୀ ହେବା ଦଳ ପାଇଁ ଅପ୍ରତ୍ୟାଶିତ ଥିଲା। ଦଳକୁ ମଜବୁତ କରିବା ପାଇଁ ଦଳର ଉପରସ୍ତରର ନେତା ମିଶ୍ରଣ ପର୍ବ କରିଥିଲେ। ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୁଶାନ୍ତ ପ୍ରଧାନ ଓ ତାଙ୍କ ଭାଇ ସରୋଜ ପ୍ରଧାନ ବିଜେପି ଦଳରେ ମିଶିଲା ପରେ ଦଳର ଶକ୍ତିବୃଦ୍ଧି ହୋଇଛି।

ବିଜେପି ଆଗାମୀ ଦିନରେ ବିଜେଡିକୁ ଟକ୍କର ଦେବା ପାଇଁ ସମର୍ଥ ହେବ ବୋଲି ଚର୍ଚ୍ଚା ହେଉଛି। ମାତ୍ର ସୁଶାନ୍ତ ପ୍ରଧାନ ଓ ସରୋଜ ପ୍ରଧାନ ଙ୍କୁ ଦଳର ଉପରସ୍ତରରେ ପୂର୍ଣ୍ଣ ସମର୍ଥନ ରହିଥିଲେ ମଧ୍ୟ ପୂର୍ବରୁ ଟିକେଟ ଆଶାୟୀ ଥିବା ବିଜେପି ନେତା ମାନେ ଘୋର ବିରୋଧ କରୁଛନ୍ତି। ସୌମିତ୍ରୀ ନାଏକ ବିଜେପି ଜିଲ୍ଲା ସଭାପତି ଥିବା ବେଳେ ସେ ବୌଦ୍ଧ ବିଧାନସଭା ପାଇଁ ଆଶାୟୀ। ପୂର୍ବରୁ ବିଜେପି ଟିକେଟ ପାଇଥିବା ସୂର୍ଯ୍ୟନାରାୟଣ ମହାପାତ୍ର ଓ ସୁଧାଂଶୁ ଡାଙ୍ଗ ମଧ୍ୟ ନିଜର ପାତିଆରା ନଷ୍ଟ ହେବା ଆଶଙ୍କାରେ ସୁଶାନ୍ତ ପ୍ରଧାନଙ୍କୁ ବିରୋଧ କରୁଛନ୍ତି।

ଯୁଗଳ ସାହୁ ସମୟ ସୁବିଧା ଦେଖି କେତେବେଳେ କାହାକୁ ବିରୋଧ କରୁଛନ୍ତି ପୁଣି ସମର୍ଥନ କରୁଛନ୍ତି। ଯୁଗଳଙ୍କ ବିଶେଷ ଲୋକ ସଂପର୍କ ନଥିଲେ ହେଁ ରାଜ୍ୟସ୍ତରୀୟ ନେତା ବୌଦ୍ଧ ବିଜେପି କଥା କହିଲେ ଯୁଗଳଙ୍କୁ ବୁଝୁଛନ୍ତି। ମାଗୁଣି ଗାଇଗରିଆ, ଧନେଶ୍ୱର ଅମାତ ଜିଲ୍ଲା ପରିଷଦରେ ସାମାନ୍ୟ ବିଜୟୀ ହୋଇ ଉଚ୍ଚାକାଂକ୍ଷୀ ହୋଇ ପଡ଼ିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ହରଭଙ୍ଗା ବ୍ଲକରେ ସୁଶାନ୍ତଙ୍କ ଏକ ସଂଗଠନ ଆରମ୍ଭରୁ ରହିଛି। ଏହି ସଂଗଠନକୁ ସେ ଉପଯୋଗ କରିବାକୁ ଚାହୁଁଥିବା ବେଳେ ବିଜେପିର ଭିତିରି ଅସନ୍ତୋଷ କିନ୍ତୁ ତାଙ୍କୁ ଅଡୁଆରେ ପକାଇପାରେ। ଯାହା ଜଣାପଡ଼ୁଛି ବୌଦ୍ଧରେ ଉଭୟ ବିଜେଡି ଓ ବିଜେପି ଦଳରେ ଅନ୍ତକନ୍ଦଳ ହିଁ ଏବେ ବଡ଼ ସମସ୍ୟା ହୋଇ ରହିଛି।

ସମ୍ବନ୍ଧିତ ଖବର