ବୌଦ୍ଧ: ଜିଲ୍ଲାରେ ମରୁଡ଼ି ସ୍ଥିତି ଦେଖା ଦେଲାଣି। ବିହନ କିଣିବାଠାରୁ ଧାନ ରୁଆ ପର୍ଯ୍ୟନ୍ତ କାମରେ ଟଙ୍କା ଖର୍ଚ୍ଚ କରିବା ପରେ ଧାନ ଗଛ ମରିବାକୁ ବସିଲାଣି। ବର୍ଷାଭାବ ଯୋଗୁଁ ଅନେକ ସ୍ଥାନରେ ମାଟି ଫାଟି ଆଁ କରିବା ସହ ଧାନ ଗଛ ଶୁଖିବାକୁ ବସିଲାଣି। ସ୍ଥିତି ଏଭଳି ହେଲାଣି ଯେ ବର୍ତ୍ତମାନ ବର୍ଷା ହେଲେ ମଧ୍ୟ ଧାନ ଅମଳ ହେବ ନାହିଁ। ଏଭଳି ସ୍ଥିତିରେ ସରକାରୀ ସହାୟତା ନପାଇଲେ ଚାଷୀକୁଳ ଅଣ୍ଟା ସଳଖି ଠିଆ ହେବା କଷ୍ଟକର ହେବ। ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରି ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ କିଷାନ ସଂଘ ଦାବି କରିଛି।

Advertisment

ଗୁରୁବାର ଭାରତୀୟ କିଷାନ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କିଛି ସ୍ଥାନରେ ନିଜସ୍ବ ଉଦ୍ୟମରେ ଚାଷୀ ଧାନ ଚାଷ ବଞ୍ଚାଇ ରଖିଛି। ତେବେ ସାର କଳାବଜାର ବେଡ଼ି ଉପରେ କୋରଡ଼ା ସଦୃଶ ହେଉଛି। ସାରର କଳାବଜାରକୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ମରୁଡ଼ି ପ୍ରଭାବିତ ଜମିରେ ବିକଳ୍ପ ଚାଷ ପାଇଁ ମାଗଣାରେ ବିହନ, ସାର, ଔଷଧ ଆଦି ଯୋଗାଇବା ପାଇଁ ସଂଘ ଦାବି କରିଛି। ଗତ ପାଞ୍ଚ ବର୍ଷ ହେଲା ଚାଷୀ ବୀମା କରି ମଧ୍ୟ କ୍ଷତିପୂରଣ ପାଇପାରୁ ନଥିବା ଦେଖାଯାଇଛି। କୃଷି ଓ ରାଜସ୍ବ ବିଭାଗ ଚାଷୀଙ୍କ ଦରଖାସ୍ତ ସଂଗ୍ରହ କରି ବୀମା ରାଶି ପାଇଁ ପଦକ୍ଷେପ ଗ୍ରହଣ କରୁ। ମରୁଡ଼ିର ସ୍ଥାୟୀ ସମାଧାନ ପାଇଁ ଖଡଙ୍ଗ ନଦୀର ସାଡାଙ୍ଗ ଓ ସାଲୁଙ୍କି ନଦୀର ଗୁରୁଜୀମୁଣ୍ଡାରେ ଜଳ‌ଭଣ୍ଡାର ନିର୍ମାଣ, ମହାନଦୀର ସାମ୍ପୋଚ, ରାମଗଡ଼ ଓ ଧଳପୁରରେ ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପର ତୁରନ୍ତ ଅନୁମୋଦନ, ୨୦୧୮ର ପାଥେଇରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ, ଶସ୍ୟହାନି ଯୋଗୁଁ ପ୍ରଦାନ କରାଯାଉଥିବା ଇନ୍‌ପୁଟ୍‌ ସବସିଡିକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି କରାଯାଇଛି। ଆଜିର ଆନ୍ଦୋଳନରେ ସଂଘର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, ସଂପାଦକ ବିକାଶ ଚନ୍ଦ ମହାକୁଡ଼ ଓ ବିଶିକେସନ ପ୍ରଧାନ, ଦୂତିବାହନ କମ୍ପ, ଓମ ପ୍ରକାଶ ମିଶ୍ର ଓ ସୁଧାଂଶୁ ଡାଙ୍ଗ ପ୍ରମୁଖ ନେତୃତ୍ବ ନେଇଥିଲେ।