ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ବିକ୍ଷୋଭ

ବୌଦ୍ଧ: ରାଜ୍ୟରେ ଚାଷ ଓ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଅବିଚାରର ପ୍ରତିବାଦ ଓ ଚାଷୀର ଉତ୍ପାଦିତ ଧାନ ଫସଲର ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବୁଧବାର ଜିଲ୍ଲା ବିଜେଡି ଦଳ ପକ୍ଷରୁ ବୌଦ୍ଧ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କର ଚାଷୀ ପ୍ରତି ଅବିଚାରର ବିରୋଧ କରିଥିଲେ। କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ମଧ୍ୟ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନଥିବାରୁ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା।

ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୫୦ ଟଙ୍କା ଚାଷୀଙ୍କୁ ଦେବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା ଦୀପ୍ତିପ୍ରଭା ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ, ସୈରେନ୍ଧ୍ରୀ ମହାକୁଡ଼, ରୀତା ବେହେରା, ଯୁବ ବିଜେଡି ଜୋନାଲ ସଭାପତି ଅଶୋକ ସାହୁ, ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ବିଜୁ ଯୁବ ଜିଲ୍ଲା ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ସଂପାଦକ କୈଳାସ ବେହେରା, ବସନ୍ତ ସ୍ୱାଇଁ, ବିଦ୍ୟାଧର ସ୍ୱାଇଁ, ଅଜିତ ଚାନ୍ଦ, ପ୍ରସନ୍ନ ମହାନ୍ତି, ଶଶି ଭୂଷଣ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ କୃତ୍ତିବାସ ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଉଲୁଣ୍ଡା: ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଉଲୁଣ୍ଡା ବ୍ଲକ୍‌ ଅଫିସ୍‌ ଆଗରେ ବ୍ଲକ୍‌ ବିଜେଡି କର୍ମୀମାନଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଧାରଣାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସ୍‌ଡିପିଓ ଧୀରୋଜ ଚୋପଦାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର