ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ପୁଣି ଦୁଇ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସଂକ୍ରମିତ ଦୁଇ ଜଣ ପ୍ରବାସୀ ଶ୍ରମିକ। ହରଭଙ୍ଗା ବ୍ଲକ ମନମୁଣ୍ଡା ଟିଏମସିରେ ସଂଗରୋଧ ଥିଲେ। ଉଭୟ ହରିୟାଣା ଫେରନ୍ତା ବୋଲି କହିଛନ୍ତି। ସଂଗରୋଧ ଥିବାରୁ ଚିନ୍ତା କରିବାର କୌଣସି ବିଷୟ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାହୁ କହିଛନ୍ତି। ସଂକ୍ରମିତ ପ୍ରବାସୀଦ୍ୱୟଙ୍କୁ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରଯାଇଥିବା ଜଣାଯାଇଛି।
ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରୁ ୪୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ଜଣ ସୁସ୍ଥ ହୋଇସାରିଛନ୍ତି। ଜଣେ ସଂକ୍ରମିତ ମହିଳା ଭୁବନେଶ୍ୱର କିମ୍ସ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।
ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ପରୀକ୍ଷା ପାଇଁ କୋଭିଡ ଲ୍ୟାବ ପଠାଯାଇଥିବା ମୋଟ ୧୨୨୦ଟି ସ୍ୱାବ ନମୁନାରୁ ୧୧୪୨ଟି ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇସାରିଛି। ସେଥିରୁ ମୋଟ ୧୧୦୫ଟି ରିପୋର୍ଟ ନେଗେଟିଭ ରହିଛି। ବିଭାଗର ସୂଚନା ଅନୁସାରେ ୭୮ଟି ସ୍ୱାବ ନମୁନା ରିପୋର୍ଟ ଆସିବାକୁ ବାକି ରହିଥିବା ଜଣାଯାଇଛି।