ଜେଲ୍‌ ଗଲେ ବୌଦ୍ଧ ଯୁବମୋର୍ଚ୍ଚା ସଭାପତି

ଗୋ-ଲାଇଫ୍‌ ଠକେଇ

ବୌଦ୍ଧ/ମନମୁଣ୍ଡା : ଏକ ଚିଟ୍‌ଫଣ୍ଡ ସଂସ୍ଥା ନାମରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ନାରାୟଣ କର୍ମୀ ଓ ତାଙ୍କ ସହଯୋଗୀ ମୁନୁ ପ୍ରଧାନ ଜେଲ୍‌ ଯାଇଛନ୍ତି। ଉଭୟଙ୍କୁ ମନମୁଣ୍ଡା ଥାନା ପୁଲିିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୧-୧୨ ମସିହାରେ ନାରାୟଣ କର୍ମୀ ଗୋ- ଲାଇଫ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଖୋଲି ନିଜେ ତା’ର ଏମ୍‌ଡି ଭାବେ ଲୋକଙ୍କୁ ପରିଚୟ ଦେଇଥିଲେ। ତିନି ବର୍ଷରେ ଦୁଇଗୁଣ ଟଙ୍କା ମିଳିବ ବୋଲି କହି ଗାଉଁଳି ଲୋକଙ୍କ ଠାରୁ ପାସ୍‌ବୁକ୍‌ ଖୋଲି ଟଙ୍କା ଅସୁଲ କରିବା ଆରମ୍ଭ କରିଥିଲେ। ତାଙ୍କ ସହଯୋଗୀ ମୁନୁ ପ୍ରଧାନଙ୍କୁ ଏଜେଣ୍ଟ ଭାବେ ଲୋକଙ୍କ ଆଗରେ ପରିଚିତ କରାଇ ପାସବହି, ରସିଦ ଆଦି ଲୋକଙ୍କୁ ଦେଇଥିଲେ। ତିନିବର୍ଷ ପରେ ଜମାକାରୀମାନେ ଆଉ ଟଙ୍କା ଫେରସ୍ତ ପାଇ ନଥିଲେ। ନାରାୟଣ କର୍ମୀ ଓ ମୁନୁ ପ୍ରଧାନ ବି ଆଉ ଧରା ଛୁଆଁ ଦେଇ ନଥିଲେ। ଗତ ୨ ତାରିଖ ଦିନ ଏହି ମର୍ମରେ ପ୍ରଥମ କରି ମନମୁଣ୍ଡା ଥାନାରେ ଏକ ମାମଲା ଦାୟର ହେଲା। ପରେ ପରେ ନାରାୟଣ ବାବୁଙ୍କ କେଳେଙ୍କାରୀର ପର୍ଦାଫାସ ହୋଇ ଚାଲିଲା। ପୁଲିସ ରବିବାର ନାରାୟଣ କର୍ମୀ ଓ ମୁନୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ନାରାୟଣ କର୍ମୀ ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ କିଛି ଦିନ ହେଲା ବେଶ୍‌ ସକ୍ରିୟ ଥିଲେ। ତାଙ୍କ ସହ ରାଜ୍ୟ ଯୁବମୋର୍ଚ୍ଚାର ସଂପାଦକ ଓମପ୍ରକାଶ ମିଶ୍ର ଅତି ଘନିଷ୍ଠ ଭାବେ ସବୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ମାତ୍ର ରବିବାର ଯେତେବେଳେ ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇ ନାରାୟଣ ବାବୁଙ୍କୁ ପୁଲିସ ଗିରଫ କଲା ସେତେବେଳେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଥିବା ଓମ୍‌ପ୍ରକାଶ ବାବୁଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଥିଲେ ଯେ ନାରାୟଣ କର୍ମୀ ମାସେ ହେଲା ଯୁବମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି ଏବଂ ଏବେ ସେ ପୂର୍ବ ଯୁବମୋର୍ଚ୍ଚା ସଭାପତି। ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଯିଏ ବି ଥାଉନା କାହିଁକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ। ଏ ବିଷୟରେ ଜିଲ୍ଲା ସଭାପତି ସୌମିତ୍ରୀ ନାଏକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର