ଅଡୁଆରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି

ଚିଟଫଣ୍ଡ ଏଜେଣ୍ଟଙ୍କୁ ଗିରଫ ଦାବିରେ ଥାନାରେ ଏତଲା

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଗୁରୁବାର ଦିନ ଗୋ-ଲାଇଫ ନାମକ ଏକ ଚିଟଫଣ୍ଡ କଂପାନିର ଏଜେଣ୍ଟ ନାରାୟଣ କର୍ମୀଙ୍କୁ ଗିରଫ କରିବାକୁ ଦୁଇ ଜଣ ଜମାକାରୀ ପ୍ରହଲ୍ଲାଦ ସେଠୀ ଓ ସୂର୍ଯ୍ୟକାନ୍ତି ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମନମୁଣ୍ଡା ଥାନା ନଦିଆନଗର ଗ୍ରାମର ନାରାୟଣ କର୍ମୀ ୨୦୧୧ ଡିସେମ୍ବର ୩୧ ତାରିଖରେ ଶୁଣ୍ଢିପଦର ଗ୍ରାମର ପ୍ରହଲ୍ଲାଦ ସେଠୀ ଏବଂ ସୂର୍ଯ୍ୟକାନ୍ତି ମିଶ୍ରଙ୍କଠାରୁ ଟଙ୍କା ନେଇ କମ ଦିନ ଭିତରେ ଅଧିକ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଭିତରେ ୬ବର୍ଷ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନପାଇବାରୁ ନାରାୟଣଙ୍କ ପାଖକୁ ଦୌଡ଼ୁଥିଲେ। ସେ ବାହାନା ଦେଖାଇ ଫେରାଇ ଦେଉଥିଲେ। ହେଲେ ଶେଷରେ କଂପାନି ବୁଡ଼ିଗଲା କହି ଟଙ୍କା ଦେବାକୁ ମନା କଲେ।

ପରେ ତଦନ୍ତ କଲା ବେଳେ ଗୋ-ଲାଇଫ ନାମରେ କୌଣସି କଂପାନି ନଥିବା ଜାଣି ଗୁରୁବାର ପ୍ରହଲ୍ଲାଦ ଓ ସୂର୍ଯ୍ୟକାନ୍ତ ମନମୁଣ୍ଡା ଥାନାରେ ନାରାୟଣ କର୍ମୀଙ୍କ ନାମରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ନାରାୟଣ କର୍ମୀ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଅଛନ୍ତି। ଗତ ୨୯ ତାରିଖ ବୌଦ୍ଧ କଚେରି ପଡ଼ିଆଠାରେ ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଟଫଣ୍ଡ କଂପାନିର ଅଧିକାରୀ ଓ ଏଜେଣ୍ଟମାନଙ୍କୁ ଓଡ଼ିଶା ସରକାର ଗିରଫ କରିବାକୁ ଏବଂ ଜମାକାରୀଙ୍କୁ ତାଙ୍କର ଅର୍ଥ ଫେରସ୍ତ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ତାତ୍ସଲ୍ୟ କରିଥିଲେ। ହେଲେ ବିଜେପିର ଜଣେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଚିଟଫଣ୍ଡ କଂପାନିର ଏଜେଣ୍ଟ ହୋଇଥିବା ଜଣା ପଡ଼ିିବା ପରେ ବିଜେଡି ପାଇଁ ଏହା ଏକ ଇସ୍ୟୁ ହୋଇଛି। ଗତ କିଛି ଦିନ ହେଲା ଏ ସଂପର୍କରେ ମନମୁଣ୍ଡା ଆଇଆଇସି ଉମାକାନ୍ତ ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି, ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର