ବାର୍‌ହା ମାରିବାକୁ ତିଆରି ହୋଇଥିଲା ଗୁଳା, ଗାଈ ଖାଇ ଗୁରୁତର ଆହତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତ ପତ୍ରାପାଲି ଗ୍ରାମର ସୁରଜ ମିଶ୍ରଙ୍କ ଏକ ଗାଈ ସିନ୍ଦୁରପୁର ଗ୍ରାମ୍ୟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ବାର୍‌ହା ଶିକାର ପାଇଁ ପ୍ରସ୍ତୁତ ହୋଇଥିବା ଗୁଳା (ବମ) ଖାଇବା ମାତ୍ରେ ବିସ୍ଫୋରଣ ହେବାରୁ ଗାଈଟି ଗୁରୁତର ଆହତ ହୋଇଛି। ତାର ପାଟି ଓ ବେକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ମନମୁଣ୍ଡା ବନ ବିଭାଗ ଫରେଷ୍ଟର ଅଜିତ ଆଚାର୍ଯ୍ୟଙ୍କୁ ପଚାରିବାରୁ, ଏହି ଜଙ୍ଗଲ ଗୁଡ଼ିକରେ ଘନଘନ ଚଢ଼ଉ କରାଯାଇ ଶିକାରୀଙ୍କୁ ଜବତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କହିଛନ୍ତି।

ସୂଚନା ଥାଉକି, ମନମୁଣ୍ଡା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ରେଙ୍ଗାଲି, ପଥରଖଣ୍ଡି ଓ ଘିକୁଣ୍ଡି ଗ୍ରାମର କେତେକ ଶିକାରୀ ବିଭିନ୍ନ ଉପାୟରେ ଜନ୍ତୁ ଶିକାର କରି ଚାଲିଛନ୍ତି। କେତେବେଳେ ବିଦ୍ୟୁତ ତାର ଲଗାଇ ତ ପୁଣି କେତେବେଳେ ବିସ୍ଫୋରକ ଗୁଳା (ବମ୍‌) ତିଆରି କରି ବାର୍‌ହା ଶିକାର କରି ଚାଲିଛନ୍ତି। ତେଣୁ ବିଭାଗ ପକ୍ଷରୁ ୨ ଥର ଚଢ଼ଉ କରି ୨ ବଣ୍ଡଲ୍‌ ବିଦ୍ୟୁତ ତାର ସହ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ୩ ମାସ ହେଲା ଶିକାରୀମାନେ ଭୟରେ ପ୍ରାଣୀ ଶିକାର କରୁନଥିଲେ। ଶନିବାର ପୁଣି ବାର୍‌ହା ଶିକାର ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ବାର୍‌ହା ବଦଳରେ ଗାଈଟି ଗୁଳାଟି ଖାଇବାରୁ ଗୁରୁତର ଆହତ ହୋଇଥିଲା।

ସମ୍ବନ୍ଧିତ ଖବର