ବଲେରୋ ଧକ୍କାରେ ବାପ-ପୁଅ ଗୁରୁତର

ତରଭା: ତରଭା ବ୍ଲକ ଅନ୍ତର୍ଗତ କମସରା ସିଂହାରୀ ରାସ୍ତାର କୁଲପାଲି ଛକ ନିକଟରେ ଏକ ବଲେରୋ ଧକ୍କାରେ ବାଇକରେ ଯାଉଥିବା ସିଂହାରୀ ଗାଁର ହଳଧର ଘିବେଲା (୫୫) ଓ ପୁଅ ପୀତବାସ ଘିବେଲା (୨୭) ଆହତ ହୋଇଛନ୍ତି।
ସିଂହାରୀର ପୀତବାସ ବାପା ହଳଧରଙ୍କୁ ବଲାଙ୍ଗୀର ମେଡିକାଲରେ ଚିକିତ୍ସା କରାଇ ନିଜ ବାଇକ (ଓଡି ୩୧ ବି ୬୫୩୭)ରେ ଘରକୁ ଫେରୁଥିଲେ। କମସରା ସିଂହାରୀ ରାସ୍ତାର କୁଲପାଲି ଛକ ନିକଟରେ ସୋନପୁର ଅବକାରୀ ବିଭାଗର ବଲୋରୋ (ଓଡି ୦୩ ଜି ୬୪୦୭) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ପୀତବାସଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ହଳଧରଙ୍କ ମୁହଁ ଓ ଗୋଡ଼ରେ ବି ଆଘାତ ଲାଗିଛି। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମେଡିକାଲକୁ ନିଆଯାଇଥିଲା। ଅବକାରୀ ବିଭାଗର ବେପରଓ୍ଵା ଗାଡ଼ି ଚାଲନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗକାରୀ ସୁରେଶ ଚନ୍ଦ୍ର ଘିବେଲାଙ୍କ ଠାରୁ ପ୍ରକାଶ। ବଲେରୋର ଚାଳକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି। ଏ ନେଇ ତରଭା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୁରୁବାବୁ ଛତ୍ରିଆଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର