ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଶଗଡ଼ା

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ଶଗଡ଼ା ଅଞ୍ଚଳ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳ। ବାଘନଦୀ କୂଳରେ ଥାଇ ମଧ୍ୟ ଏଠାରେ ଜଳସେଚନର ସୁବିଧା ନାହିଁ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଧାନ ଚାଷ ହୁଏ ନାହିଁ। ଏହି ଜଙ୍ଗଲ ଜମିରେ କିଛି ଲୋକ ଗଂଜେଇ ଚାଷକୁ ଆଦରି ନେଇଛନ୍ତି। ଅପେକ୍ଷାକୃତ କମ ପରିଶ୍ରମ, ପାଞ୍ଚ ମାସ ସମୟ ଅବଧି ସାଙ୍ଗକୁ ପ୍ରଚୁର ଲାଭ ଆଶାରେ ଏମାନେ ଏହି ଚାଷ କରୁଛନ୍ତି। ହେଲେ ଏହିମାନେ ଗଂଜେଇ ଚାଷ କରୁଥିଲେ ମଧ୍ୟ ଏହି ବ୍ୟବସାୟର ଫାଇଦା ଉଠାଇ ପାରୁ ନାହାନ୍ତି। ବାହାର ଜିଲ୍ଲା ତଥା ବାହାର ରାଜ୍ୟର ଗଂଜେଇ ବେପାରୀମାନେ ଆସି ଅତି କମ୍‌ ମୂଲ୍ୟରେ ଗଂଜେଇ କିଣି ନେଉଥିବା ବେଳେ ଅନେକ ସମୟରେ ଏହି ନିରୀହ ଆଦିବାସୀଙ୍କୁ ନକଲି ନୋଟ ଦେଇ ତାଙ୍କଠାରୁ କଷ୍ଟ ଉପାର୍ଜିତ ଗଂଜେଇକୁ ନେଇ ଯାଇଥାନ୍ତି। ଆହୁରି ମଧ୍ୟ ଅନେକ ସମୟରେ ଗୁଣ୍ଡା ଶ୍ରେଣୀୟ ଲୋକେ ଜଙ୍ଗଲ ଭିତରେ ରହୁଥିବା ଏହି ଆଦିବାସୀମାନଙ୍କୁ ଭୟଭୀତ କରି ତାଙ୍କଠାରୁ ଗଂଜେଇ ଲୁଟି ନିଅନ୍ତି। ସରକାର ଗଂଜେଇ ଚାଷକୁ ବେଆଇନ ଘୋଷଣା କରିଥିଲେ ମଧ୍ୟ ଏମାନେ ସରକାରୀ ନିୟମ ନମାନି ପେଟ ପାଇଁ ଏହି ଚାଷକୁ ଆଦରି ନେଇଛନ୍ତି। ଆଜି ବି ଶଗଡ଼ା ପଞ୍ଚାୟତର ବାତେପଙ୍ଗା, ବାଡ଼େପଙ୍ଗା ଗାଁକୁ ରାସ୍ତାଟିଏ ନାହିଁ। ଚାଉଳ ୫ କେଜି ପାଇଁ ଏମାନେ ୧୨ କିଲୋମିଟର ପାଦରେ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି।

ବଣପହାଡ଼ ଘେରା ଏହି ଗାଁଗୁଡ଼ିକୁ ଗଲା ବେଳେ ବାଘନଦୀକୁ ତିନିଥର ଡେଇଁ ଯିବାକୁ ପଡ଼ିଥାଏ। ୨୦୧୫ ମସିହାରେ ଜିଲ୍ଲାରୁ ଗଂଜେଇ ଚାଷକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ତତ୍କାଳୀନ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ବି. ଗଂଗାଧର ଏକ ସ୍କ୍ଵାଡ୍‌ ଗଠନ କରି ଘନ ଘନ ଚଢ଼ଉ କରୁଥିଲେ। ଏପରିିକ ଗଂଜେଇ ଚାଷ ସମୟରେ ଜଙ୍ଗଲ ମଧ୍ୟରେ ପୁଲିସ ଫୋର୍ସ ମୁତୟନ କରି ଗଂଜେଇ ଚାଷ ଉପରେ ତୀକ୍ଷଣ ନଜର ରଖିଥିଲେ। ପ୍ରାୟ ୭୦ ଭାଗ ଗଂଜେଇ ଚାଷ ହ୍ରାସ ପାଇଥିଲା। ଚଢ଼ଉରେ ବହୁ ଗଂଜେଇ ମାଫିଆ ଧରାପଡ଼ି ବୌଦ୍ଧ ଜେଲରେ ଜାମିନ ନପାଇ ବର୍ତ୍ତମାନ ମଧ୍ୟ ରହିଛନ୍ତି। ବି.ଗଂଗାଧରଙ୍କ ଅନ୍ୟତ୍ର ବଦଳି ହେଲା ପରେ ପୁଣି ଚାଷ ବୃଦ୍ଧି ପାଇଲା ଓ ଚୋରାଚାଲାଣ ବେଧଡ଼କରେ ଚାଲିଲା। ଶଗଡ଼ା ଦେଇ ଗଂଜେଇ ଆସୁଥିଲେ ମଧ୍ୟ ଏବଂ ଶଗଡ଼ାରେ ପୁଲିସ ଫାଣ୍ଡି ଥିଲେ ମଧ୍ୟ ମାଫିଆଙ୍କୁ ପୁଲିସ ଧରିପାରୁ ନାହିଁ। ଅଥଚ ପଡ଼ୋଶୀ ଜିଲ୍ଲା ସୁବର୍ଣ୍ଣପୁର ଯାଇ ଏହି ମାଫିଆମାନେ ଧରାପଡ଼ୁଛନ୍ତି। ତେଣୁ ଶଗଡ଼ା ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ସୃଷ୍ଟି କରିଛି। ଏ ବିଷୟରେ ଶଗଡ଼ା ଫାଣ୍ଡି ଅଧିକାରୀ କିଶୋର ମହାକୁଡ଼ଙ୍କୁ ପଚାରିବାରୁ ଶଗଡ଼ାରେ ୬ ଜଣ କନେଷ୍ଟବଳ ଆବଶ୍ୟକ ଥିବା ବେଳେ ମାତ୍ର ୨ ଜଣରେ କାମ ଚାଲୁଛି। ଅନେକ ଦିନରୁ ସରକାରଙ୍କ ନିକଟରେ ଏ ନେଇ ଦାବି ହୋଇଥିଲେ ମଧ୍ୟ ସରକାର ଦାବିକୁ ଅଣଦେଖା କରୁଛନ୍ତି। ୨ ଜଣରେ କୌଣସି କାମ ହେଉ ନାହିଁ। କେବଳ ଫାଣ୍ଡି ଜଗିକି ରହିବା କଥା ବୋଲି କହିଥିଲେ।

ସମ୍ବନ୍ଧିତ ଖବର