ସରକାରୀ କର୍ମଚାରୀ ହାତେଇ ନେଲେ ସରକାରୀ ଜମି

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସରକାରୀ ଜମି ଦୁର୍ନୀତି ବହୁ ଦିନ ହେଲା ଚର୍ଚ୍ଚାରେ ରହି ଆସିଛି। ପୂର୍ବ ତହସିଲଦାର ସିପ୍ରା ସେଠୀଙ୍କ ସମୟରେ ଏହି ଜମି ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା। ଏହି କାରବାରରେ ସବୁ ବର୍ଗର ଲୋକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହେଉଛି। ଏବେ ବୌଦ୍ଧ ତହସିଲର ଜଣେ କିରାଣି ନିଜ ସମ୍ପର୍କୀୟଙ୍କ ନାମରେ ଜମି କରାଇ ନେଇଥିବା ଘଟଣା ପ୍ରଘଟ ହେଲା ପରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ମହାଦେବ ଗଣ୍ଡା ଓ ସହଦେବ କହଁର ଅଭିଯୋଗ କରିଛନ୍ତି ଯେ ବୌଦ୍ଧ ତହସିଲ ଅନ୍ତର୍ଗତ ଗୁନ୍ଦୁଲିଆ ରାଜସ୍ୱ ମଣ୍ଡଳରେ ଥିବା ଭରୁଆ ଗ୍ରାମର ମୋଟ୍‌ ୪ ଏକର ୫୦ ଡେସିମିଲ ଜମିପଟ୍ଟା ଆନନ୍ଦିନୀ ମହାପାତ୍ରଙ୍କ ନାମରେ ରେକର୍ଡ କରାଯାଇଛି। ଏହା ବ୍ୟତୀତ ମନମୁଣ୍ଡା ରାଜସ୍ୱ ମଣ୍ଡଳ କାର୍ଯ୍ୟାଳୟ ପଛ ପାଖରେ କିଛି ସରକାରୀ ଜମି ମଧ୍ୟ ଲିଜ ମାମଲାରେ ନେଇ ତାହାକୁ ରେକର୍ଡ କରାଇ ନେଇ ପରବର୍ତ୍ତୀ ସମୟରେ ଚଢ଼ା ଦରରେ ବିକ୍ରି କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଉକ୍ତ ଜମିକୁ ସରକାରୀ ରେକର୍ଡ ଭୁକ୍ତ କରିବା ପାଇଁ ଦାବି କରାଯାଇଛି।

ବୌଦ୍ଧ ତହସିଲରେ ବେଆଇନ ଭାବେ ଅନେକ ଜମି ଜବରଦଖଲ ଓ ଜାଲ ପଟ୍ଟା କରାଯାଇଥିବା ଅଭିଯୋଗ ବାରମ୍ବାର ହେବା ପରେ ଗତବର୍ଷ ୧୦୫ ଏକର ଜମିକୁ ସରକାରୀ ଖାତାକୁ ଅଣାଗଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଉକ୍ତ ୧୦୫ ଏକର ଜମି କିଏ ଅକ୍ତିଆର କରିଥିଲା ଓ ଯେଉଁ ମାନେ ଅକ୍ତିଆର କରିଥିଲେ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ସେନେଇ କୌଣସି ସୂଚନା ଦିଆଯାଇ ନଥିଲା। ଏବେ ଜଣେ ତହସିଲ କର୍ମଚାରୀ ଚଞ୍ଚକତା କରି ସାଢ଼େ ୪ ଏକର ଜମି ହାତେଇ ନେଇଥିବା ଅଭିଯୋଗ ଆସିଲା ପରେ ଏବେ ପୁଣିଥରେ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଜବରଦଖଲ ଉଛେଦ ପାଇଁ ତତ୍ପରତା ପ୍ରକାଶ କରୁନଥିବାରୁ ସରକାରୀ ଜମିକୁ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡୁଛି। ଏଦିଗରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଏବିଷୟରେ ବୌଦ୍ଧ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଏ ସଂକ୍ରାନ୍ତରେ ଅଭିଯୋଗ ଆସିଛି ପ୍ରକୃତରେ କେତେ ଜମି କେଉଁ ପରିସ୍ଥିତିରେ ହଡପ ହୋଇଛି ସେ ବିଷୟରେ ଅନୁସନ୍ଧାନ କଲା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର