୫ରେ ଖୋଲିବ ବୌଦ୍ଧର ଐତିହ୍ୟ ସଂଗ୍ରହାଳୟ 

ବୌଦ୍ଧ : ବୌଦ୍ଧସ୍ଥିତ ପୁରୁଣା କଚେରି ହେବ ଜିଲ୍ଲାର ପ୍ରଥମ ଐତିହ୍ୟ ସଂଗ୍ରହାଳୟ ବା ହେରିଟେଜ୍‌ ମ୍ୟୁଜିୟମ୍‌। ପୂର୍ବରୁ ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଗତ ନଭେମ୍ବର ୨୨ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ୨୪ତାରିଖ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ପରିଷଦ ବୈଠକରେ ବୌଦ୍ଧର ପୁରୁଣା କଚେରିକୁ ଐତିହ୍ୟ ସଂଗ୍ରହାଳୟ କରାଯିବାକୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ସଂଗ୍ରହାଳୟ ସକାଶେ ଯୁଦ୍ଧାକଳୀନ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ୫ତାରିଖ ଏହା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ଜିଲ୍ଲାପାଳ ଶ୍ରୀ ମିଶ୍ର ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ବୁଧବାର ପୁରୁଣା କଚେରି ବିଲଡିଂ ପରିଦର୍ଶନ କରି ଆବଶ୍ୟକ ନିର୍ମାଣ ଓ ମରାମତି କାର୍ଯ୍ୟ, ବିଦ୍ୟୁତ ଯୋଗାଣ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ସହ ପୂର୍ତ୍ତ ବିଭାଗ, ଏନ୍‌ଏସି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଆରମ୍ଭ ହେବାକୁ ଥିବା ଏହି ଐତିହ୍ୟ ସଂଗ୍ରହାଳୟ ସକାଶେ ନିଜ ନିଜ ପାଖରେ ସଂରକ୍ଷିତ ରଖିଥିବା ପୁରାତନ ସମଗ୍ରୀ, ଐତିହ୍ୟ ସମଗ୍ରୀଗୁଡ଼ିକୁ ଜିଲ୍ଲା ପ୍ରଶାସନକୁ ଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାବାସୀଙ୍କୁ ଆହ୍ବାନ କରିଛନ୍ତି। ଏଥିପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ଥିବା ବେଳେ ଜିଲ୍ଲାର ୩ ବ୍ଲକ୍‌ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଠାରୁ ଐତିହ୍ୟ ସମଗ୍ରୀ ସଂଗ୍ରହ କରାଯିବା ପାଇଁ ବୌଦ୍ଧ ବ୍ଲକ୍‌ କାର୍ଯ୍ୟାଳୟ, ବାଉଁଶୁଣିସ୍ଥିତ ମା’ ମାହେଶ୍ବରୀ ଡିଗ୍ରି କଲେଜ ଓ ବଘିଆପଡାସ୍ଥିତ ଗଉଡ଼ଦେଇ ହାଇସ୍କୁଲ ଠାରେ ବୌଦ୍ଧ ବ୍ଲକ୍‌ ଅଞ୍ଚଳବାସୀଙ୍କ ଠାରୁ  ଦାନ ସାମଗ୍ରୀ ସଂଗ୍ରହ କରାଯିବ। ବୌଦ୍ଧ ବିଡିଓ ଏହାକୁ ପରିଚାଳନା କରିବେ। ସେହିପରି ହରଭଙ୍ଗା ବ୍ଲକ୍‌ବାସୀଙ୍କ ସକାଶେ ବ୍ଲକ୍‌ କାର୍ଯ୍ୟାଳୟ, ପୁରୁଣାକଟକ ହାଇସ୍କୁଲ ଓ ବୀରନରସିଂହପୁର ହାଇସ୍କୁଲରେ ସଂଗ୍ରହ କରାଯିବ। କଣ୍ଟାମାଲ ବ୍ଲକ୍‌ରେ ବ୍ଲକ୍‌ କାର୍ଯ୍ୟାଳୟ, ପଞ୍ଚାୟତ କଲେଜ ଓ ପଲସାଗୋରା ହାଇସ୍କୁଲ ଠାରେ ଓ ବୌଦ୍ଧ ଏନ୍‌ଏସି ଅଞ୍ଚଳର ଲୋକେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ଓ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ଠାରେ ସେମାନଙ୍କ ପାଖରେ ଥିବା ଐତିହ୍ୟ ସାମଗ୍ରୀଗୁଡ଼ିକୁ ଦାନ କରିପାରିବେ ‌ବୋଲି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରକାଶ ଥାଉକି ୧୯୨୧ ମସିହାରେ ଇଂରେଜ ଓ ବୌଦ୍ଧ ରାଜାଙ୍କ ପରୋକ୍ଷ ଶାସନ କାଳରେ ବୌଦ୍ଧର ଏହି ପୁରୁଣା କଚେରିର ନିର୍ମାଣ ହୋଇଥିଲା। ୧୯୪୮ ମସିହାରେ ରାଜ ନାରାୟଣ ପ୍ରସାଦ ଦେବ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ। ସେହି ବର୍ଷ ଏହା ସବ୍‌ଡିଭିଜିନାଲ୍‌ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା। ଯାହାକି ୧୯୯୪ ମସିହା ଜାନୁଆରି ୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର