ଅବାଧରେ ଚାଲିଛି ପଥର ଚୋରା ଚାଲାଣ:ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି, ପ୍ରଶାସନ ନିରବ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପାହାଡ଼ରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ଯୋଗେ ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ପ୍ରଶାସନ ଜାଣି ମଧ୍ୟ ନଜାଣିଲା ପରି ନିରବତା ଅବଲମ୍ବନ କରୁଥିବା ଦର୍ଶାଇ ସଚେତନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଭିନ୍ନ ଅଂଚଳର ପଥର ମଫିଆ ମାନେ ଏଠାରେ ଡିନାମାଇଟ ସାହାଯ୍ୟରେ ପଥରକୁ ବ୍ଲାଷ୍ଟିଂ କରୁଥିବାରୁ ପାଖାପାଖି ଗାଁ ଲୋକ ଆତଙ୍କିତ ହୋଇ ପଡ଼ୁଛନ୍ତି। ଚାଷ ଜମି ମାନଙ୍କରେ ପଥର ଟୁକୁଡା ପଡ଼ି ଉର୍ବରତା ନଷ୍ଟ ‌‌ହେଉଛି। ବିଭିନ୍ନ ସମୟରେ ଲୋକଙ୍କ ଘରେ ପଥର ପଡୁଥିବା ଅଭିଯୋଗ ହେଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ଜଣାଯାଇଛି। ଦପଲା ପଞ୍ଚାୟତର ଶିମିଳିକଟା ସଂରକ୍ଷିତ ଜଙ୍ଗଲରୁ ପ୍ରତିଦିନ ୨୦ ରୁ ୩୦ ଟ୍ରିପ୍‌ ପଥର, ମେଟାଲ ବାହାର ଜିଲ୍ଲା ସୋନପୁର, ବଲାଙ୍ଗୀର ଆଦି କ୍ରସରଗୁଡ଼ିକୁ ଚୋରା ଚାଲାଣ ହେଉଥିଲା ବେଳେ ଏହି ପଞ୍ଚୟତର ଗୁରୁଦାସପୁରର ଏକ ୫୦ ଫୁଟର ପଥରର ପାହାଡ଼ ଭୂ-ପୃଷ୍ଠ ସହ ମିଶିଯିବା ଦେଖିବାକୁ ମିଳିଲାଣି। ସେହିପରି ବଉଲପୁର, ଖଟଖଟିଆ ପଞ୍ଚାୟତର ବ୍ରାହ୍ମଣୀ ଡ଼ୁଙ୍ଗୁରୀ, ଘିକୁଣ୍ଡି ପଞ୍ଚାୟତର ରତାଖଣ୍ଡି ପାହାଡ଼, ଡିମିରିଝୁଲି ନାଳରୁ ପଥର ବେପାରୀ ମାନେ ପଥର ଚୋରା ଚାଲାଣ କରୁଥିବାର ଅଭିଯୋଗ ହେଉଥିଲେ ମଧ୍ୟ ନା ଏଥିପ୍ରତି ଜଙ୍ଗଲ ବିଭାଗ କି ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ପଥର ବ୍ଲାଷ୍ଟିଂ ଦ୍ଵାରା ପରିବେଶ ଦୂଷିତ ହେବ ସହିତ ସେଥିରୁ ନିର୍ଗତ ହେଉଥିବା ବାରୁଦ ଗନ୍ଧ ପାହାଡ଼ ନିକଟ ଗାଁର ସାଧାରଣ ଲୋକ, ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି  କରୁଥିବା ଅଭିଯୋଗକୁ ଖଣ୍ଡନ କରାଯାଇ ନ ପାରେ। ତେବେ ଏହି ଅଞ୍ଚଳରେ ସାଧାରଣ ଲୋକ ସବୁବେଳେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କଣ୍ଟାମାଳ ରେଞ୍ଜ ଅଧିକାରୀ ଦିଲ୍ଲୀପ ଦିଗାଲଙ୍କୁ ପଚାରିବାରୁ ସେ କହିଲେ ‘ଆମ ଅଞ୍ଚଳର ଯେତିକି ଅଞ୍ଚଳରେ ପଥର ଚୋରା ଚାଲାଣ ହେଉଛି ଏଣୁ ଏଣିକି କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭାଗ ପକ୍ଷରୁ ୨ ଜଣ ଗାର୍ଡଙ୍କୁ ମଧ୍ୟ ଡ୍ୟୁଟିରେ ପଠାଇବୁ ବୋଲି କହିଥିଲେ’।

ସମ୍ବନ୍ଧିତ ଖବର