କୂଅରୁ ମିଳିଲା ନବଜାତ ଶିଶୁର ମୃତଦେହ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ସକାଳୁ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଏକଥା ପ୍ରଘଟ ହେବାପରେ ତାହା ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଥିଲା।

ଏହି ଅମାନବୀୟ ଜଘନ୍ୟ କାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭଗାମୁଣ୍ଡା ଗ୍ରାମରେ ଏକ ଜରୁରୀ ବୈଠକ ବସି ଦୋଷୀ ଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସହମତି ପ୍ରକାଶ ପାଇଥିଲା ।

ପ୍ରାପ୍ତ ସୂଚନା ମତେ କୁଶଙ୍ଗ ପଞ୍ଚାୟତର ପୂର୍ବତନ ସମ୍ପାଦକ ଉପେନ୍ଦ୍ର ନାଏକ ଙ୍କ ଭଗାମୁଣ୍ଡା ସ୍ଥିତ ବାସଭବନର ବାଡି ପଛ ପାଖରେ ଥିବା ପରିତ୍ୟକ୍ତ କୂଅରେ ମୃତ ଶିଶୁଟି ଭାସୁଥିବା ଦେଖି ଗାଁ ଲୋକେ ପୁଲିସ କୁ ଖବର ଦେଇଥିଲେ । ତେବେ ନବଜାତ ଶିଶୁର ମୃତଦେହ ମାତ୍ରାଧିକ ଦୁର୍ଗନ୍ଧ ହେଉଥିବାରୁ ତାକୁ ୨କିମ୍ବା ୩ଦିନ ପୂର୍ବରୁ ହିଁ କେହି ଏଠାରେ ପକାଇଦେଇ ଥିବାର ଅନୁମାନ କରାଯାଉଛି । ଜଣେ ନିଷ୍ପାପ ନବଜାତ ଶିଶୁକୁ କିଏ କାହିଁକି ଏଭଳି ଅବସ୍ଥାରେ କୂଅରେ ଫିଙ୍ଗି ହତ୍ୟାକଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହା ପଛରେ ଅବୌଧ ସମ୍ପର୍କ ଜନିତ କୁମାରୀ ମାତୃତ୍ୱ ହିଁ ପ୍ରମୁଖ କାରଣ  ଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ  ଏଥିରେ ଯେଉଁ ମାନଙ୍କ ସମ୍ପୃକ୍ତ ରହିଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏହା ପଛର ପ୍ରକୃତ କାରଣ ଓ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାର ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର