କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ୧୮ ଖଣ୍ଡ ଗାଁକୁ ଆଜିଯାଏଁ ରାସ୍ତାଟି ନାହିଁ। ଫଳରେ ଏ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତର ସିଗାରି, କନାଗନ, ବଟେପଙ୍ଗ, ବଡପଙ୍ଗ, ମେନକାସାହି, ଗୁହାରକନ, ମାଳତି ଗୋଛାପଡ଼ା, କୂଆକୁମୁଣ୍ଡା, ପକଟପଙ୍ଗ, ଗୁନ୍ଦୁଲିଆଯୋର, ଫସକାପଦର ଆଦି ୧୮ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ଲୋକ ଲୋକ ପ୍ରତିଦିନ ଶଗଡା ପଂଚାୟତ ମୁଖ୍ୟାଳୟକୁ ବାଘନଦୀ ଓ କରେଣ୍ଡିନାଳ ଦେଇ ଆସିଥାନ୍ତି। ବୁଢ଼ାବୁଢ଼ୀ, ବିଧବା, ସ୍କୁଲପିଲା, ଗର୍ଭବତୀ ମହିଳା ଘରୁ ବାହାରି ଚାଲିଚାଲି ବାଘନଦୀର ପୁଡୁକମାରି ଘାଟ ପାରି ହୋଇ କେରାଣ୍ଡିନାଳ ଡେଇଁ ପଂଚାୟତ ମୁଖ୍ୟାଳୟକୁ ଆସିଥାନ୍ତି।

Advertisment

ଏପରିକି ମୁର୍ମୂଷୁ ଅବସ୍ଥାରେ ଥିବା ରୋଗୀ ଓ ଗର୍ଭବତୀଙ୍କୁ ଖଟ ଉପରେ ବୁହାହୋଇ ନାଳ ପାରି କରି ନିକଟସ୍ଥ ଚିକିତ୍ସାଳୟକୁ ନେବାକୁ ପଡ଼ିଥାଏ। ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ କେରାଣ୍ଡି ନାଳ ଓ ବାଘନଦୀରେ ବିପଦଜ୍ଜନକ ଅବସ୍ଥାରେ ପାରି ହୋଇ ଯିବା ଆସିବା କରୁଥିଲେ ବି କାହାରି ଦୃଷ୍ଟି ପଡ଼ୁ ନାହିଁ। ଏମାନେ ବର୍ଷା ଋତୁରେ ଏକପ୍ରକାର ଜଳବନ୍ଦୀ ଜୀବନ ବିତଉଛନ୍ତି। ଏହି ଦୁର୍ଗମ ଅଞ୍ଚଳର ଅଧିବାସୀମାନେ ମ୍ୟାଲେରିଆ, ଡେଙ୍ଗୁ, ଝାଡ଼ାବାନ୍ତି ଆଦି ରୋଗରେ ପଡ଼ିଲେ ବି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ପାରୁ ନାହାନ୍ତି। ଏହି ନିର୍ବାଚନମଣ୍ଡଳୀରୁ ଗତ ୨ ଥର ହେଲା ଶାସକ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭାକୁ ଯାଉଥିଲେ ହେଁ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାଘନଦୀ ଓ କେରାଣ୍ଡିନାଳ ଉପରେ ଏକ ସ୍ଥାୟୀ ସେତୁ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।