ଖଲିଆପାଲି ବନିତା ନାଗ ମୃତ୍ୟୁ ଘଟଣା : ହତ୍ୟା ମାମଲା ରୁଜୁ କଲା ପୁଲିସ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅନ୍ତର୍ଗତ ଖଲିଆପାଲି ଗାଁର ବନିତା ନାଗ ଅପମୃତ୍ୟୁ ମାମଲାର ୧୩ ଦିନ ପରେ ବୁଧବାର ଡୁଙ୍ଗୁରିପାଲି ପୁଲିସ ହତ୍ୟା ମାମଲା ରୁୁଜୁ କରିଥିବା ଜଣାଯାଇଛି। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା କମଲିବଜାର ବନିତାଙ୍କ ପିତା ଗୋବିନ୍ଦ ବଗର୍ତ୍ତିଙ୍କ ଏତଲା କ୍ରମେ ଡୁଙ୍ଗୁରିପାଲି ପୁଲିସ କେସ ନଂ ୩୯ ତା ୭/୩/୨୦୧୮ ଦଫା ୪୯୮(ଏ), ୩୦୨, ୩୦୪(ବି), ୫୦୬ ଓ ୩୪ ଆଇପିସି ଏବଂ ୪ଡିପି ଆକ୍ଟରେ କେଶ ରୁଜୁ କରି ବନିତାଙ୍କ ସ୍ୱାମୀ ସୁଜିତ ନାଗ, ଶ୍ୱଶୁର ସାଧୁଚରଣ ନାଗ, ଶାଶୂ ଲକ୍ଷ୍ମୀ ନାଗ ଓ ଦିଅର ଅଜିତ ନାଗକୁ ଅଭିଯୁକ୍ତ ଭାବେ ଦର୍ଶାଇଥିବା ଆଇଆଇସିଙ୍କ ଠାରୁ ପ୍ରକାଶ।
ଉଲ୍ଳେଖଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖଲିଆପାଲି ଗ୍ରାମରେ ବିବାହ କରିଥିବା ବନିତାଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଲଛିପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁୁଜୁ କରିଥିଲା। କିନ୍ତୁ ବନିତାଙ୍କ ବାପା ଗୋବିନ୍ଦଙ୍କ ତାଙ୍କ ଝିଅ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ହତ୍ୟା କରାଯାଇଛି ବୋଲି ପ୍ରକାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ମଙ୍ଗଳବାର ଡୁଙ୍ଗୁରିପାଲି ପୁଲିସ ସମ୍ବଲପୁର ଯାଇ ଝିଅର ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ପରେ ଏତଲାକୁ ଭିତ୍ତି କରି ଆଜି ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର