ଚାଷୀ ତିଆରି କଲେ କିଷାନ ବାଇକ୍, ବିନା ପେଟ୍ରୋଲରେ ଯିବ ଘଣ୍ଟାକୁ ୩୦ କିଲୋମିଟର

ବୌଦ୍ଧ :ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ନିଦ ହଜିଯାଇଛି । ଆଇନ ଉଂଲ୍ଲଘନ କଲେ ମୋଟା ଅଙ୍କର ଅର୍ଥ ଜରିମାନା ଦେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲା ବାମଣ୍ଡା ଗ୍ରାମର ଚାଷୀ ଦିଲୀପ ମହାପାତ୍ର ନିଜ ଉଦ୍ୟମରେ ନିଜ ଖର୍ଚ୍ଚରେ ବ୍ୟାଟେରି ଚାଳିତ କିଷାନ୍ ବାଇକ ତିଆରି କରିଛନ୍ତି । ଏହା ଦେଖିବାକୁ ସିନା ସାଇକେଲ୍ ଭଳି, କାମରେ କିନ୍ତୁ ବାଇକ୍ ସହ ସମାନ ।

ବଡ଼ କଥା ହେଲା ପେଟ୍ରୋଲ୍,ଡିଜେଲ୍ କିମ୍ବା ଇଂଜିନ୍ ଅଏଲ୍ ବିନା ଏହା ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଚାଲିପାରିବ । ଏଥିରେ ଲାଗିଛି ୧୨ ଭୋଲ୍ଟର ଦୁଇଟି ବ୍ୟାଟେରି ଓ ୩୫ ୱାଟର ମୋଟର୍ । ଥରେ ବ୍ୟାଟେରିକୁ ୪ରୁ ୫ ଘଣ୍ଟା ଚାର୍ଜ କଲେ ସାଇକେଲ୍ ୮୦ କିଲୋମିଟର ଚାଲିବ । ବାଇକରେ ଲାଗିଛି ଏକ୍ସଲେଟର୍ । ଗତି କମାଇବା ପାଇଁ ବି ରହିଛି କଣ୍ଟ୍ରୋଲର । ଦିଲ୍ଲୀର କରୋଲବାଗରୁ ଦିଲୀପ ସେ ମୋଟରଟି ଆଣିଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ବଜାରରେ ଉପଲବ୍ଧ ବାଇକର ଦାମ୍ ଅତିକମରେ ୫୦ ହଜାର ଟଙ୍କା ରହିଛି ।

ମାତ୍ର ୧୦ ରୁ ୧୫ ହଜାର ଟଙ୍କା  ଖର୍ଚ୍ଚରେ ଦିଲୀପ ଏହି ବାଇକ୍ ତିଆରି କରିଛନ୍ତି । ଏହି ବ୍ୟାଟେରି ଚାଳିତ କିଷାନ୍ ବାଇକରେ  ଏଲଇଡି ହେଡ୍ ଲାଇଟ୍ ଓ ବ୍ୟାଟ୍ ଲାଇଟ୍ ବି ରହିଛି । ଏହାଦ୍ୱାରା ଶବ୍ଦ କିମ୍ବା ବାୟୁ ପ୍ରଦୂଷଣ ହେବ ନାହିଁ । ଆଗାମୀ ଦିନରେ ଦିଲୀପ ଚାଷୀଙ୍କ ପାଇଁ କମ୍ ଖର୍ଚ୍ଚରେ ବ୍ୟାଟେରି ଚାଳିତ ଶଗଡ଼ ଗାଡ଼ି ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ପ୍ରୟାସକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର