କୁର୍ଲୁଭଟା ମହିଳାଙ୍କୁ ହତ୍ୟା ମାମଲା:୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସିନ୍ଧେକେଲା/ଟିଟିଲାଗଡ଼: ବୁଧବାର ସିନ୍ଧେକେଲା ଥାନା କୁର୍ଲୁଭଟା ଗାଁର ଜନିତା ଟାକ୍ରି(୩୫)ଙ୍କ ହତ୍ୟା ମାମଲାରେ ପୁଲିସ ଗଙ୍ଗେ ଟାକ୍ରି ଓ ଉତ୍ତମା ଟାକ୍ରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କୁର୍ଲୁଭଟା ଗାଁର ଗଙ୍ଗେ ଟାକ୍ରି ଓ ଉତ୍ତମା ଟାକ୍ରି ସଂପର୍କରେ କକା ଝିଆରୀ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୫ ମାସ ତଳେ ଉଭୟଙ୍କ ସଂପର୍କକୁ ଜନିତା ଦେଖି ଦେଇଥିଲେ। ତେଣୁ ଦୁହେଁ ଜନିତାଙ୍କୁ ରାସ୍ତାରୁ ହଟାଇବା ଯୋଜନା କରିଥିଲେ। ବୁଧବାର ଉତ୍ତମା ଜନିତାଙ୍କୁ ଶୌଚ ପାଇଁ ଯିବାକୁ ଡାକିଥିଲେ। ତେବେ ଉତ୍ତମା ଓ ଜନିତା ଶୌଚ ପାଇଁ ଆସିଥିବା ବେଳେ ଯୋଜନା ମୁତାବକ ପୂର୍ବରୁ ସେଠାରେ ଛକି ରହିଥିବା ଗଙ୍ଗେ ଓ ଉତ୍ତମା ଧାରୁଆ ଅସ୍ତ୍ରରେ ଜନିତାଙ୍କ ବେକ କାଟି ଏକ କୂଅରେ ପକାଇ ଦେଇଥିଲେ। ତେବେ ଜନିତାଙ୍କ ଶବ ମିଳିବା ପରେ ପଚରାଉଚୁରା କରି ପୁଲିସ ଉତ୍ତମା ଓ ଗଙ୍ଗେକୁ ଅଟକ ରଖି ଜେରା କରିବାରେ ସେମାନେ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ ଗଙ୍ଗେଙ୍କ ଘରୁ ରକ୍ତଲଗା କପଡ଼ା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର