ମନମୁଣ୍ଡା ଭୀମସେନ ହତ୍ୟା ମାମଲା:ଅଭିଯୁକ୍ତଙ୍କ ଘର ପୋଡ଼ି ଘଟଣାରେ ୧୨ ଜେଲ୍‌ ଗଲେ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ଠାରେ ଗତ ରବିବାର ଘଟିଥିବା ଭୀମସେନ ସେଠୀ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କ ଘର ଭଙ୍ଗାରୁଜା ଓ ଜଳାପୋଡ଼ା ଏବଂ ଜାତୀୟ ରାଜପଥ ଅବରୋଧ କରିଥିବା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁଜିତ ମେହେର, ବୈଦ୍ୟନାଥ ଦଣ୍ଡୁଆ, ସନ୍ତୋଷ ସାହୁ, ମହେନ୍ଦ୍ର ଭୋଇ, ରାଜରାମ ମେହେର, ବୃଷଭ ପାଣ୍ଡେ, ଉମାକାନ୍ତ ମଲ୍ଲିକ, ଗୋପାଳ ମେହେର, ଗୋବିନ୍ଦ ମେହେର, ଗଣେଶ ମେହେର, ମହେନ୍ଦ୍ର ଷାଣ୍ଢ, ରଞ୍ଜନ ସେଠୀ ପ୍ରମୁଖ। ଏମାନଙ୍କୁ ଗତ ରାତିରେ ଗିରଫ କରାଯାଇଥିଲା। ଏହାକୁ ନେଇ ମନମୁଣ୍ଡାରେ ଚାପା ଉତ୍ତେଜନା ଲାଗି ରହିଥିଲା।
ସୂଚନାଯୋଗ୍ୟ ଯେ, ଗତ ସୋମବାର ଭୀମସେନଙ୍କ ଶବକୁ ଗ୍ରାମବାସୀ ମନମୁଣ୍ଡା ଗାନ୍ଧିଛକ ଠାରେ ରଖି ଜାତୀୟ ରାଜପଥର ୫୭କୁ ଅବରୋଧ କରିଥିଲେ। ଅପରାହ୍ନ ୪.୩୦ ମିନିଟ ପର୍ଯ୍ୟନ୍ତ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା କୋର୍ଟ ଚାଲାଣ ହୋଇଥିବା ଚରଣଙ୍କ ଘରକୁ ଭଙ୍ଗାରୁଜା କରିବା ସହିତ ତାଙ୍କ ବାଇକ ଓ ଘର ଏବଂ ଅନ୍ୟତମ ସନ୍ଦେହ ଘେରରେ ଥିବା ଅଭିଯୁକ୍ତ ଆଲୋକ ମିର୍ଦ୍ଧାଙ୍କ ଘର ଓ ଦୋକାନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ବହୁ ଲୋକ ସାମିଲ ଥିଲେ ମଧ୍ୟ ପୁଲିସ କେତେଜଣଙ୍କୁ ଭଲଭାବେ ଚିହ୍ନି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଲେ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର