ଅବ୍ୟବସ୍ଥା ଘେରରେ ମଣିପୁର ଆଦର୍ଶ ବିଦ୍ୟାଳୟ:ଶିକ୍ଷା ବର୍ଷ ସରିବ, ସରିଲାନି ଛାତ୍ରାବାସ ନିର୍ମାଣ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଅନ୍ତର୍ଗତ ମଣିପୁରରେ ଥିବା ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ସ୍କୁଲରେ ବର୍ତ୍ତମାନ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ୍‌ ୧୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଠାରେ ଶିକ୍ଷାଦାନ ପାଇଁ ମୋଟ୍‌ ୧୧ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଏବେ ସାହିତ୍ୟ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି। ହିନ୍ଦୀ, ସଂସ୍କୃତ, କଳା, ଖେଳ ଓ ସଂଗୀତ ଆଦି ୭ ଶିକ୍ଷକ ପଦ ଖାଲି ପଡ଼ିଛି। ଚଳିତ ଶିକ୍ଷା ବର୍ଷ ସରିବାକୁ ବସିଥିଲେ ବି ପିଲାଙ୍କୁ ୟୁନିଫର୍ମ ମିଳି ନାହିଁ। ରୋଷେଇ ଘର ନଥିବାରୁ ଏକ କୁଡ଼ିଆରେ ରୋଷେଇ ଚାଲିଛି। ଏଠାରେ ଥିବା ଗଭୀର ନଳକୂଅର ପାଣି ପାନୀୟ ପାଇଁ ବ୍ୟବହାର କରାଯାଉଥିବା

ବେଳେ ଏହି ପାଣିରେ ଫ୍ଲୋରାଇଡ୍‌ ପରିମାଣ ଅଧିକ ରହୁଛି। ମୁଖ୍ୟ ରାସ୍ତାରୁ ସ୍କୁଲକୁ ସଂଯୋଗ କରୁଥିବା ୨କିମି ରାସ୍ତାରେ ବହୁ କଷ୍ଟରେ ଦୁଇ ଚକିଆ ଯାନ ଯାଇପାରୁଛି। ପାଚେରି କାମ ବି ଅଧପନ୍ତରିଆ ହୋଇ ପଡ଼ିରହିଛି। ଛାତ୍ରାବାସ କାମ ବି ସରି ପାରୁ ନାହିଁ। ଫଳରେ କୁଶଙ୍ଗ, ତଳଗାଁ ଭଳି ଦୂରରୁ ଆସୁଥିବା ଛାତ୍ରଛାତ୍ରୀମାନେ ଭାରି ହଇରାଣ ହେଉଛନ୍ତି। ଏ ସଂପର୍କରେ ସ୍କୁଲର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ତଥା ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କୁ ପଚାରିବାରୁ ଛାତ୍ରବାସ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପିଲାମାନଙ୍କର ଖାଇବା, ରହିବା ପାଇଁ ଅସୁବିଧା ହେଉଛି। ଛାତ୍ରବାସ କାମ ୨ରୁ୩ ମାସ ମଧ୍ୟରେ ଶେଷ ହୋଇଯିବ ବୋଲି କହିଥିଲେ। ଶିକ୍ଷକ ଅଭାବ ହେବା କଥା ସ୍ୱୀକାର କରିବା ସହ ଏହା ଧିରେ ଧିରେ ସମାଧାନ ହୋଇଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର