ବୌଦ୍ଧ : ସନ୍ତୋଷିନୀ ଜେନା ହତ୍ୟାକାଣ୍ଡ ଘଟଣା : ହତ୍ୟାକାରୀ ପ୍ରେମିକ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବୀରରାମଚନ୍ଦ୍ରପୁର୍‌ ଗାଁର ସନ୍ତୋଷିନୀ ଜେନା(୩୫) ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଅଭିଯୁକ୍ତ ପ୍ରେମିକ ଯୋଗେଶ୍ୱର ବେହେରା(୨୮)କୁ ବୌଦ୍ଧ ପୁଲିସ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା  ଉପଖଣ୍ଡ ପୁଲିସ ଅଧିକାରୀ ସାଲେଷ୍ଟିନ୍‌ ଟିଗା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମୃତା ସନ୍ତୋଷିନୀ ସହ ଅଭିଯୁକ୍ତ ଯୋଗେଶ୍ୱରଙ୍କ ପରକୀୟା ପ୍ରୀତି ସମ୍ପର୍କ ଥିବା ଅଭିଯୋଗ ହେଉଛି । ସନ୍ତୋଷିନୀଙ୍କ ସ୍ୱାମୀ ଅଷ୍ଟମୀ ଜେନା ବାହାରେ କାମ କରୁଥିବାରୁ ଏହାର ସୁଯୋଗ ଉଭୟଙ୍କ ମଧ୍ୟରେ ୬ ବର୍ଷ ହେଲା ଅନୈତିକ ସମ୍ପର୍କ ରହିଥିଲା । ପୂର୍ବରୁ ଦୁଇଥର ଗର୍ଭପାତ କରାଇଥିବା ସନ୍ତୋଷିନୀ ମୃତ୍ୟୁ ବେଳକୁ ଦୁଇ ମାସର ଅନ୍ତଃସତ୍ତ୍ବା ଥିଲେ । ଗର୍ଭପାତ ପାଇଁଁ ଯୋଗେଶ୍ୱର ବାରମ୍ବାର ସନ୍ତୋଷିନୀକୁ କହୁଥିଲେ ମଧ୍ୟ ସନ୍ତୋଷିନୀ ମନା କରୁଥିଲେ। ସେଥିପାଇଁ ତାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ମଧ୍ୟ ହୋଇଥିଲା । ସନ୍ତୋଷିନୀ ଅଭିଯୁକ୍ତଙ୍କ ଘରେ ରହିବେ ବୋଲି ମଧ୍ୟ ଜିଦ୍‌ କରୁଥିବା ବେଳେ ଗତ ୩ ମାସ ତଳେ ଅଭିଯୁକ୍ତ ଯୋଗେଶ୍ୱର ବିବାହ କରିଥିବାରୁ ସନ୍ତୋଷିନୀଙ୍କ ଗର୍ଭପାତ କରାଇ ଦେବାକୁ ଚାହୁଁଥିଲେ। ତାହା ସମ୍ଭବ ହେଉ ନଥିବାରୁ ସନ୍ତୋଷିନୀକୁ ସବୁ ଦିନ ପାଇଁ ବାଟରୁ ହଟାଇବା ସେ  ଶେଷରେ ଚକ୍ରାନ୍ତ କରିଥିଲା। 

ଗତ ୩୧ତାରିଖ ରବିବାର ଦିନ ରାତିରେ ଗ୍ରାମରେ ଲକ୍ଷ୍ମୀ ପୂଜା ହେଉଥିବା ବେଳେ ଯୋଗେଶ୍ୱର ଫୋନ୍‌ କରିଥିଲେ ମଧ୍ୟ ସନ୍ତୋଷିନୀ ଉଠାଇ ନଥିଲେ। ସକାଳେ ଫୋନଟି ତାଙ୍କ ଯାଆ ଉଠାଇବାରୁ ଯୋଗେଶ୍ୱର ସନ୍ତୋଷିନୀ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ଶୌଚ ପାଇଁ କେନାଲ ଆଡ଼େ ଯାଇଥିବା କହିଥିଲେ । ଏହାପରେ ଯୋଗେଶ୍ୱର  ସନ୍ତୋଷିନୀଙ୍କ ପିଛାକରି କେନାଲ ଆଡେ ଯାଇଥିଲା । ଘର ଠାରୁ ପ୍ରାୟ ୪୦୦ ମିଟର ଦୂରରେ ଉଭୟଙ୍କ ଭେଟ ହେବାପରେ ଗର୍ଭପାତ କରାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୋଗେଶ୍ୱର ସେଠାରେ ସନ୍ତୋଷିନୀକୁ ଠେଲି ଦେବାରୁ କେନାଲର କଂକ୍ରିଟ ଗାର୍ଡ ୱାଲରେ ମୁଣ୍ଡବାଜି ତଳେ ପଡି ଯାଇଥିଲେ । ତାପରେ ତାଙ୍କର ମୁହଁକୁ ୩/୪ ମୁଥ ମାରିବା ପରେ ପିନ୍ଧା ଲୁଗା ସାହାଯ୍ୟରେ ତଣ୍ଟିକୁ ଚିପିି ମାରି ଦେଇଥିଲେ ବୋଲି ଏସଡିପିଓ ଶ୍ରୀ ଟିଗା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସନ୍ତୋଷିନୀଙ୍କ ଭାଇଙ୍କ ଅଭିଯୋଗ ପ୍ରକାରେ ବୌଦ୍ଧ ଆଦର୍ଶ ଥାନା ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୋଗେଶ୍ୱରକୁ ୫ତାରିଖ ରାତିରେ ଗିରଫ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଆଇ ପୁରୁଷୋତ୍ତମ ସ୍ୱାଇଁ, ଏସଆଇ ମମତା ହେମ୍ରମ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର