ବୌଦ୍ଧ: ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ପାରିବାରିକ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ଚଢ଼ଉ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ତିତିରିକଟା ମୌଜାରେ ଥିବା ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ)ରେ ତିନିଦିନ ଧରି ଚଢ଼ଉ ହୋଇଛି। ତେବେ ବିଡିପିଏଲର ମୁଖ୍ୟାଳୟ କୁହାଯାଉଥିବା ବୌଦ୍ଧ ସହରର ରାଜନପାଲିରେ ଥିବା ମଦଭାଟି ଓ ଅଫିସକୁ ଆୟକର ବିଭାଗ ହାତ ମାରି ନଥିବା ବିଜେପି ଅଭିଯୋଗ କରିଛି। ବିଡିପିଏଲ ଓ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରି ବୌଦ୍ଧକୁ ଧୀରଜଙ୍କ କଳା ସାମ୍ରାଜ୍ୟରୁ ମୁକ୍ତ କରିବାକୁ ଜିଲ୍ଲା ବିଜେପି ଦାବି କରିଛି। ଏହି ମର୍ମରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଡିପିଏଲ ସହ ସଲାସୁତୁରାରେ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତ ସଂଶ୍ଳିଷ୍ଟ ଥିବା ଅଭିଯୋଗ କରି ଇସ୍ତଫା ଦିଅନ୍ତୁ ବୋଲି ନାରାବାଜି କରାଯାଇଛି। ଧୀରଜଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭରେ ରାଜ୍ୟ ବିଜେପି ଉପସଭାପତି ସୁକେଶୀ ଓରାମ, କର୍ଣ୍ଣେଲ ଶିଶିର ଘୋଷ, ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ, ନିରଞ୍ଜନ ଦାନୀ, ସୂର୍ଯ୍ୟନାରାୟଣ ମହାପାତ୍ର, ନମିତାରାଣୀ ଦାଶ, ନିବେଦିତା ମହାକୁଡ଼, ବନମାଳି ରଣା, ମନୋରଞ୍ଜନ ଦାଶ, ମାଗୁଣି ଗାଈଗୌରିଆ, ଶ୍ୟାମସୁନ୍ଦର ପୁରୋହିତ, ଇଂ.ବିକାଶ ମହାକୁଳ, ହରିହର ବହିଦାର, ତ୍ରିପୁରାରୀ ବେହେରା ଓ ସଞ୍ଜୀବ ମହାପାତ୍ରଙ୍କ ସହ ଦଳୀୟକର୍ମୀ ଉପସ୍ଥିତ ଥିଲେ।
ମଦ ବେପାରୀଙ୍କୁ ବିଜେଡି ଓ କଂଗ୍ରେସର ଅନୁକମ୍ପା ଅଭିଯୋଗ, ଉପଜିଲ୍ଲାପାଳ ଅଫିସ୍ ଆଗରେ ବିଜେପିର ବିକ୍ଷୋଭ
ନୂଆପଡ଼ା: ଓଡ଼ିଶାରେ ମଦ ବେପାରୀଙ୍କୁ ବିଜେଡି ଓ କଂଗ୍ରେସ ସରକାର ଅନୁକମ୍ପା ଦେଉଥିବାରୁ ସେମାନେ ନିରୀହ ଗରିବ ଲୋକଙ୍କୁ ଶୋଷଣ କରି କୋଟି କୋଟି ଟଙ୍କା ରାଜସ୍ବ ଠକି ଚାଲିଛନ୍ତି। ଏହାର ପ୍ରତିବାଦରେ ସୋମବାର ନୂଆପଡ଼ା ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବା ସହ ମଦ ମାଫିଆ ଧୀରଜ ସାହୁଙ୍କୁ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରରେ ବାହାରି ଦଳୀୟ କର୍ମୀମାନେ ନୂଆପଡ଼ା ଉପଜିଲ୍ଲାପାଳ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭରେ ସାମିଲ ହୋଇଥିଲେ। ଏହି ବିକ୍ଷୋଭରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ତୁଲସ ପଟେଲ, ସୁଶାନ୍ତ ପତି, ରାଜ୍ୟ ଏସ୍ସି ମୋର୍ଚ୍ଚ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ସୁନା, ଜିଲ୍ଲା ଏସ୍ସି ମୋର୍ଚ୍ଚା ସଭାପତି ଟୁଲୁ ନିଆଲ, ମଣ୍ଡଳ ସଭାପତି ବିଜୟ ଚନ୍ଦ୍ରକାର, ରାକେଶ ଜୈନ, ଗୋପବନ୍ଧୁ ବନଛୋର, ଚନ୍ଦନ ଠାକୁର, ପୁସ୍ତମ ମସରା, ମହାନ ପଟେଲ, ଲାଲରାମ ସାହୁ, ଅର୍ଜୁନ ଜଗତଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।