ଖଜୁରୀପଡା: ଖଜୁରୀପଡା ବ୍ଲକର ଅଧିକାଂଶ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଏବେ ବିପଦପୂର୍ଣ୍ଣ ଭାବରେ ପଡ଼ିରହିଛି। ବାରମ୍ବାର ଏସବୁ ବିପଦପୂର୍ଣ୍ଣ ରାସ୍ତାଘାଟର ଖବର ପ୍ରକାଶ ପାଉଥିବା ବେଳେ ଜନସାଧାରଣ ମଧ୍ୟ ରାସ୍ତା ମରାମତି ହେବାନେଇ ଆଶାବାନ୍ଧି ରହୁଛନ୍ତି। ତଥାପି ପ୍ରଶାସନ ଏଥିପ୍ରତି ନିଘା ରଖୁ ନାହାନ୍ତି। ବଲସକୁମ୍ପା ଠାରୁ ଛନ୍ଦୁପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ହେଉଛି ଏହାର ଏକ ଉଦାହରଣ ।
ଏହି ସଡ଼କ ଯୋଜନା ୨୬ ଡିସେମ୍ବର ୨୦୧୬ ରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ୨୦୧୭ରେ ଶେଷ ହୋଇଥିବା ବେଳେ ଏଥିପାଇଁ ମୋଟ ୨୦୩.୩୬ ଲକ୍ଷ ବ୍ୟୟବରାଦ ଏବଂ ୫ ବର୍ଷିଆ ରାସ୍ତାର ପ୍ରତିପୋଷଣ ବାବଦକୁ ୧୮.୪୪ଲକ୍ଷ ଟଙ୍କା ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ରାସ୍ତାର ଖଲିଗୁଡ୍ରୀ ଗ୍ରାମରେ ଥିବା ଏକ କଲଭର୍ଟ ଗୋଟିଏ ସ୍ଥାନରେ ୩ ଫୁଟ ଗୋଲେଇର ଏକ ଅଂଶ ଭାଙ୍ଗିଯାଇ ଲୁହାଛଡ଼ ଏବଂ ପୋଲତଳେ ପାଣି ଦେଖିବାକୁ ମିଳୁଥିବା ନେଇ ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ସମ୍ବାଦରେ ଏକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଖବର ପ୍ରକାଶ ପରେ ନା ଚେଇଁଲା ପ୍ରସାଶନ କିମ୍ବା କାର୍ଯ୍ୟ କରୁଥିବା ଠିକାଦାର। ବର୍ତ୍ତମାନ ମଧ୍ୟ ସେହି ସମାନ ଢଙ୍ଗରେ ଭାଙ୍ଗିଥିବା ରାସ୍ତା ସେମିତି ହିଁ ରହିଛି, କିନ୍ତୁ ତାମଧ୍ୟରେ କେତେ ସାଇକେଲ ଓ ମୋଟରସାଇକେଲ ଯେ ଛୋଟବଡ଼ ଦୁର୍ଘଟଣାର ସାମନା କଲେଣି। ସେଥିପ୍ରତି ପ୍ରଶାସନ ତରଫରୁ କୌଣସି ପ୍ରତିକାର କରାଯାଇନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅବହେଳିତ ଗ୍ରାମଗୁଡ଼ିକର ସଂଯୋଗୀକରଣର ଲକ୍ଷ୍ୟ ରଖି ସରକାର କୋଟିକୋଟି ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି ସତ, ହେଲେ ତାହାର ସଠିକ୍ କାର୍ଯ୍ୟକାରିତା ନହେବା ଯୋଗୁଁ ଅଧା ଦିନରେ ରାସ୍ତା ଗୁଡିକ ନଷ୍ଟ ହୋଇ ଯାଉଛି। ତେଣୁ କୌଣସି ଏକ ବଡ଼ ଧରଣର ଧନଜୀବନ ନଷ୍ଟ ହେବା ପୂର୍ବରୁ ତୁରନ୍ତ ଏହାର ଏକ ତଦନ୍ତ ଏବଂ ମରାମତି କରାଯିବାକୁ ଗ୍ରାମର ସନ୍ତୋଷ କହଁର, ବାଲ୍ମିକୀ କହଁର, ସଂଜୟ କହଁର, ସଦାନନ୍ଦ ଦେହୁରୀ, ରାଘବ ଦିଗାଲ,ସୁବାସ ଦିଗାଲ ଓ ରାଜେନ୍ଦ୍ର ଦିଗାଲ ପ୍ରମୁଖ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି।