ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ବର୍ମା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇ ପାନୀୟଜଳ, କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ଲକକୁ ମେଗା ପାଇପ୍ ଜଳ ଯୋଗାଣ ଯୋଜନାରେ ଯୋଡ଼ା ଯିବା ସହ ଘରେ ଘରେ ପିଇବା ପାଣି ପହଞ୍ଚାଯିବ ବୋଲି କହିଥିଲେ। ପରେ ଜିଲ୍ଲାପାଳ ଡି.ବୃନ୍ଦା ଡ଼ି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ।
ଜିଲ୍ଲାରେ ଖରିଫ୍ ଧାନ କ୍ରୟ ବ୍ୟବସ୍ଥା ସନ୍ତୋଷଜନକ ଥିବା ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ନରେଗା ଯୋଜନାର କାର୍ଯ୍ୟକାରୀ ନେଇ ଉପାଧ୍ୟକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ। ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ଜିଲ୍ଲାକୁ ମନରେଗା ଯୋଜନାରେ ମିଳିଥିବା ଅନୁଦାନର ୭୬ ପ୍ରତିଶତ ଖର୍ଚ୍ଚ ହୋଇ ସାରିଲାଣି। ଏହି ଖର୍ଚ୍ଚ ହାରକୁ ଆହୁରି ବୃଦ୍ଧି କରିବା ପାଇଁ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଆଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଯୋଗାଇଦେବା ସହିତ ସେମାନଙ୍କୁ ନିର୍ମାଣ ଶ୍ରମିକ ଭାବରେ ପଞ୍ଜୀକୃତ କରି ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହାସହ ନରେଗାରେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶତପ୍ରତିଶତ କାମ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଶ୍ରୀ ବର୍ମା ଜିଲ୍ଲାରେ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର